ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ…

ପୁରୀ : ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ । ପୁରୀ ଜିଲ୍ଲା ସତ୍ୟବାଦୀରେ କାଳି ମାଡ ହୋଇଛି । ସେଠାରେଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । ତେବେ କାଳି କେବଳ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ମୁହଁରେ ପଡ଼ି ନ ଥିଲା, ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଛି । କାଳିମାଡ଼ କରିଥିବା ବ୍ୟକ୍ତିକୁ ତୁରନ୍ତ ପୋଲିସ ନିଜ ହେପାଜତକୁ ନେଇଛି । ତାଙ୍କ ଘର ସତ୍ୟବଦୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ ।
ଆଜି ୫ଟି ସଚିବଙ୍କ କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା । ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ । ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ସେଠାକୁ ଯାଇ ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା । ଫଳରେ କାଳି ୫ଟି ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ ।