ଓଡିଶା

ଭତ୍ତା ପଇସା ବଢାଓ ନ ହେଲେ ଭୋଟ ଦେବୁନି…

ନୂଆପଡ଼ା : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସ ପର୍ଯ୍ୟନ୍ତ ଚଳିବ । ଚିନି ଚା କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଓ ନ ହେଲେ ଭୋଟ ଦେବୁନି । ଏଭଳି ଦାବି କରିଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମରବାସିନ୍ଦା । ଏ ନେଇ ଆଜି ନାଗରିକ ଅଧିକାର ଚାରିଟେବୁଲ ଟ୍ରଷ୍ଟ ଖଡିଆଲର ନୂଆପଡ଼ା ଜିଲ୍ଲା ସଭାପତି ଭ୍ରମର ବାଗ ଓ ତାଙ୍କ ସହଯୋଗୀଙ୍କ ନେତୃତ୍ଵରେ ସାମାଜିକ ମଙ୍ଗଳ ଯୋଜନାରେ ମିଳୁଥିବା ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଏକ ବିଶାଳ ରାଲି କରିଛନ୍ତି ଶତାଧିକ ବୃଦ୍ଧବୃଦ୍ଧା । ଏହି ଅବସରରେ ସେମାନେ ଲର୍କା ଗ୍ରାମପଞ୍ଚାୟତ ସରପଞ୍ଚ ଜୟଶ୍ରୀ ପଟେଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଆଦି ଅସହାୟ ବ୍ୟକ୍ତିଙ୍କୁ ସରକାର ମାସିକ ପାଞ୍ଚ ଶହ ଟଙ୍କା ପ୍ରଦାନ କରୁଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ । ଏହି ଟଙ୍କା ହୁ ହୁ ହୋଇ ବଢୁଥିବା ଦରଦାମ୍ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ରୋଗ, ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅକ୍ଷମ । ଭାରତର ଅନ୍ୟାନ୍ୟ ରାଜ୍ୟରେ ମାସିକ ଭତ୍ତା ୨୫ ଶହରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ପାଞ୍ଚ ଶହ ଟଙ୍କା ମିଳୁଛି । ଏଣୁ ଅତି କମରେ ୪ ହଜାର ୮ ଶହ ୯୦ ଟଙ୍କା ଦେବାପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ସେହିପରି ବ୍ୟାଙ୍କରେ ଭତ୍ତା ଦିଆ ଯାଉଥିବାରୁ ସେମାନେ ଯିବାଆସିବାରେ ସମସ୍ୟା ଭୋଗିବା ସହ ନିୟମିତ ଭତ୍ତା ପାଉ ନାହାଁନ୍ତି । ଏଣୁ ପୂର୍ବପରି ହାତେ ହାତେ ଭତ୍ତା ଦିଆଯାଉ ବୋଲି ଦାବି କରାଯାଇଛି ।

ନୂଆପଡା ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ଅନେକ ଗରିବ ପରିବାର ନିଜର ବୟସ୍କ ଶାଶୁ ଶ୍ୱଶୁରଙ୍କୁ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି । ଫଳରେ ଘରେ ଥିବା ବୃଦ୍ଧବୃଦ୍ଧା ବହୁତ କଷ୍ଟରେ କାଳ କାଟିଥାନ୍ତି । ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଋତୁକାଳୀନ ଜରାଶ୍ରମ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି । ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରାର ବ୍ୟବସ୍ଥା କରିଛନ୍ତି କିନ୍ତୁ ସୂଚନା ତଥା ସଚେତନତା ଅଭାବରୁ ଅନେକ ବ୍ୟକ୍ତି ତୀର୍ଥ ଯାଇ ପାରୁ ନାହାନ୍ତି । ଏଣୁ ପ୍ରତିବର୍ଷ ପ୍ରତି ବ୍ଲକରୁ ପାଞ୍ଚଟି ବସର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା