ଚାରିଆଡେ ଖାଲି ସାପ ସାପ…

ବାଲେଶ୍ୱର : ସ୍ବତନ୍ତ୍ର ପ୍ଲାଷ୍ଟିକ ପେଡି ଭିତରେ ରହିଛି ବିଷଧର ସାପ । ଫଁ ଫଁ ଗର୍ଜନ କରୁଛନ୍ତି ସାପ । ଗୋଟେ କି ଦୁଇଟା ସାପ ନୁହେଁ, ଏମିତି ୨୬ଟି ପେଡି ଭିତରେ ବନ୍ଧା ହୋଇଛି ବିଷଧର ସାପ । ଏ ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧିନ ନୂଆଁ ଗାଁ, ପଞ୍ଚୁପାଲି ଅଞ୍ଚଳର । ଜଣେ ବ୍ୟକ୍ତିଙ୍କ ଘରୁ ଏହି ସାପକୁ ଉଦ୍ଧାର କରାଯାଇଛି ।
ଚାନ୍ଦିପୁର ବନବିଭାଗକୁ ସାପ ଚୋରା ଚାଳାଣ ହେଉଥିବା ନେଇ ଖବର ମିଳିଥିଲା । ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ ହେଉଥିବା ଖବର ପାଇ ତୁରନ୍ତ ତତ୍ପରତା ଦେଖାଇଥିଲା ବନ ବିଭାଗ । ଘଟଣାରେ ୨୬ଟି ବିଷଧର ସାପଙ୍କୁ ଉଦ୍ଧାର କରାଯିବା ସହ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଭୋଗରାଇ ଅଞ୍ଚଳର ସମ୍ପୃକ୍ତ ସ୍ବାମୀ-ସ୍ତ୍ରୀ ପଞ୍ଚୁପାଲି ଅଞ୍ଚଳରେ ରହି ଏହି ରାକେଟ୍ ଚଳାଇଥିଲେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଲଙ୍ଗଳେଶ୍ବର ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଏତେ ବଡ଼ ରାକେଟ ଚାଲିଥିବାବେଳେ ସେମାନେ ଏ ନେଇ କୌଣସି ସୁରାକ୍ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବନ ବିଭାଗ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ ଏଥିରେ ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରିଛନ୍ତି ପରିବେଶବିତ୍ ।
ରିପୋର୍ଟ : ବାଲେଶ୍ବରରୁ ଭରତ କୁମାର ଦାସ