ରାଜ୍ୟସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ । ଫୋକସରେ ଚାଷୀ । ନୂଆ ଓଡ଼ିଶା ଯୋଜନାରେ ବର୍ଷକୁ ୧ ଲକ୍ଷ ଯୁବକଙ୍କୁ ଦିଆଯିବ ତାଲିମ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓ ଦେଶ ମାତୃତ୍ୱ ପାଇଁ କାମ କରି ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ନୂଆ ଯୁଗ ଆରମ୍ଭ କରିଥିଲା । ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଆଣିଥିଲା । ଆଜି ଭାରତ ବିଶ୍ୱରେ ନିଜକୁ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଚନ୍ଦ୍ରଯାନ-୩ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଗୌରବ ବଢ଼ିଛି ।
ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମିର ବିକାଶ ର ସବୁ କ୍ଷେତ୍ରରେ 5-T ଚିନ୍ତାଧାରାର ନୂଆ ଆଶା ସୃଷ୍ଟି କରିଛି । ରାଜ୍ୟର ଅର୍ଥନୀତିରେ ସମୃଦ୍ଧ ହୋଇଛି । ଗରିବୀ କମିବା ସାଙ୍ଗକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି । ସମସ୍ତ ପଞ୍ଚାୟତରେ ବ୍ୟାଙ୍କି ସୁବିଧା ଆରମ୍ଭ ହୋଇଛି । ବ୍ୟାଙ୍କ ନ ଥିବା ୩,୩୭୩ ପଞ୍ଚାୟତରେ ବ୍ୟାଙ୍କି ଆଉଟଲେଟ ଖୋଲିବ । ମଧୁବାବୁ ପେନ୍ସନ ଯୋଜନାରେ ଆଉ ୪ ବର୍ଗ ସାମିଲ କରାଯାଇଛି । ଆଜିଠାରୁ ନୂଆ ହିତାଧିକାରୀମାନେ ଏହି ସୁବିଧା ପାଇବେ । ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଚାଷୀର ସ୍ୱାର୍ଥ ସବୁବେଳେ ଫୋକସ୍ରେ ରହିଛି । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା । ଏକ ସମୃଦ୍ଧ ଓଡ଼ିଶା ଓ ରୂପାନ୍ତରିତ ଓଡ଼ିଶା ପାଇଁ ସଂକଳ୍ପ ନେବା । ନୂଆ ଓଡ଼ିଶା ଯୋଜନାରେ ବର୍ଷକୁ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତଥର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପରେଡରେ ମାତ୍ର ୫ଟି କଣ୍ଟିନଜେଣ୍ଟ ଭାଗ ନେଇଛନ୍ତି । SSB, OSAP, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୋଲିସର ଏକ ଟିମ୍ ସାମିଲ ହୋଇଥିଲେ । ପରେଡର ନେତୃତ୍ୱ ନେଇଥିଲେ ଆଇପିଏସ୍ ଅଙ୍କିତ ବର୍ମା । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ରହିଛନ୍ତି । ସେପଟେ ସ୍ୱାଧୀନତା ଦିବସ ପାଇଁ ସଚିବାଳୟ, ଭୁବନେଶ୍ୱର ଉନ୍ନୟନ କର୍ତ୍ତପକ୍ଷ, ଲୋକସମ୍ପର୍କ ଭବନ, ବୟନିକା ଭବନ ଓ ଖାରବେଳ ଭବନକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ।