ଆସନ୍ତା ୧୬ରୁ ସମୂହ ଛୁଟିରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ

ଜଗତସିଂହପୁର : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲା ସଭାପତି ହିମାଂଶୁ ଶେଖର ସାମଲଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ପରେ ସଂଘର ସମସ୍ତ ସଦସ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଜିଲ୍ଲା ଶାଖାର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଏବଂ ସଂଗଠନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆସନ୍ତା ୧୬ରୁ ସମୂହ ଛୁଟିରେ ରହିବା ସହ ନାର୍ଯ୍ୟ ଦାବି ହାସଲ ନେଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲେ ସୁଦ୍ଧା ପ୍ରାଥମିକ ଶିକ୍ଷକଙ୍କୁ ସେଥିରୁ ବଞ୍ଚିତ କରାଯାଉଛି । ସରକାର ପ୍ରାଥମିକ ଶିକ୍ଷକଙ୍କ ମୂଳ ଯୋଗ୍ୟତାକୁ ମାଟ୍ରିକ୍ ସିଟିରୁ +୨ ସିଟିକୁ ବୁଦ୍ଧି କରିଛନ୍ତି । କିନ୍ତୁ ଯୋଗ୍ୟତା ଆଧାରରେ ପାରିଶ୍ରମିକ ବୃଦ୍ଧି ହୋଇନାହିଁ । ମହାସଂଘ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ସହ ୪୨୦୦ ଗ୍ରେଡ଼ ପେ ଦାବି କରି ଆସୁଥିଲେ ମଧ୍ୟ ସରକାର ସେଥିପ୍ରତି ଯତ୍ନଶୀଳ ନୁହନ୍ତି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶିକ୍ଷକ ସଂଘ ଗର୍ଜିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
୩ ଦଫା ଦାବି ଗୁଡ଼ିକ ମଧ୍ୟରୁ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ, ଏକ୍ସ-କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରିବା । କେନ୍ଦ୍ରୀୟ ହାରରେ ବେତନ ମୂଳ ବେତନ ଲେଭେଲ-୯, ଗ୍ରେଡ଼ ପେ ୪୨୦୦ ପ୍ରଦାନ କରିବା । ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥାର ପୁନଃପ୍ରଚଳନ କରିବା ।
ଏହି ସମୟରେ ରାଜ୍ୟ ଉପସଭାପତି ନରେନ୍ଦ୍ର ମହାରଣା, ଜିଲ୍ଲା ସଂପାଦକ ସୁଧୀର କୁମାର ବିଶ୍ୱାଳ, ଶିକ୍ଷକ ନେତା ମାନସ ବାରିକ, ନରେଶ ଚନ୍ଦ୍ର ସାହୁ, ବିଜୟ କୁମାର ମହାନ୍ତି, ଶରତ କୁମାର ମଲ୍ଲିକ, ଶାଶୁଲଭୁଷଣ ସ୍ୱାଇଁ, ପ୍ରତ୍ୟୁଷ କୁମାର ମହାରଣା ସାମିଲ ଥିଲେ l
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ