ଚଳିତ ମାସ ୧୬ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ

ଗଜପତି : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷକ ଆବାହକ ଏମ୍ ରବି କୁମାରଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲା ସଂଘ । ଏହି ଅବସରରେ ଶିକ୍ଷକମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡିସ୍ଥିତ ଗୁଣ୍ଡିଚା ବାଡ଼ି ମନ୍ଦିର ପରିସରରେ ଏକ ବୈଠକ କରିଥିଲେ । ପରେ ସ୍ମାରକପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ତିନି ଦଫା ଦାବି ନେଇ ସଂଘ ସାରା ରାଜ୍ୟରେ ଆନ୍ଦୋଳନ କରୁଥିବାବେଳେ ତୁରନ୍ତ ଦାବି ପୂରଣ ନ ହେଲେ ଚଳିତ ମାସ ୧୬ ତାରିଖରୁ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ସମୂହ ଛୁଟି ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ଶିକ୍ଷକ ସଂଘର ସଭାପତି ଏସ୍ ଡିଲେଶ୍ୱର, ଦେବରାଜ ଜେନା, ଏନ୍.ପି.ଏସ୍ ସଂଘର ସଭାପତି ସୁମନ୍ତ ଚିନ୍ତାଡା, ସମ୍ପାଦକ ମନୋଜ କୁମାର ଗନ୍ତାୟତ, ଶିକ୍ଷା ସହାୟକ ଶ୍ରବଣ କୁମାର, ସୁଜାତା ନନ୍ଦ, ସୁଲତା ପାଣ୍ଡବଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା