ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଷଡଯନ୍ତ୍ର…

ହିନ୍ଦୋଳ : ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିଲା ଷଡଯନ୍ତ୍ର । ଘଟଣା ବାବଦରେ ସୁରାକ ପାଇବା ପରେ ଏବେ ଅଭିଯୋଗ କରିଛନ୍ତି ଉକ୍ତ ଚାଳଘରର ମୁଖ୍ୟ ବ୍ୟକ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ପଞ୍ଚାୟତ ଠେଙ୍ଗା ଗ୍ରାମର । ଏହି ଗ୍ରାମର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଅଞ୍ଜନା ବେହେରା । ହେଲେ ତାଙ୍କ ନାମ ଯୋଗ୍ୟ ହିତାଧିକାରୀ ତାଲିକାରେ ନାହିଁ । ଆଉ ଏହି ଘଟଣାର ଫାଇଦା ଉଠେଇବାକୁ କୁଆଡେ ଚେଷ୍ଟା କରୁଥିଲେ ୮ନଂ ୱାର୍ଡ ମେମ୍ବର ଚିତ୍ତରଞ୍ଜନ ବେହେରା ।

ଅଞ୍ଜନାଙ୍କ ଚାଳଘରର ଫଟୋ ଉଠାଇ, ଚିତ୍ତରଞ୍ଜନ ଆବାସ ଗୃହରେ ନିଜ ନାମକୁ ସାମିଲ କରିବା ପାଇଁ ସାଲିସ୍ କରୁଥିବା ଅଭିଯୋଗ ଆଣିଛନ୍ତି ଅଞ୍ଜନା । ଏ ନେଇ ଆମେ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି ସିଧା ସଳଖ ମନା କରି ଦେଇଥିଲେ । ପରେ ଘଟଣା ବାବଦରେ ଜରଡା ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଞ୍ଜନାଙ୍କ ନାମ ତାଲିକାରେ ନାହିଁ । ତେବେ 5ଟି ସରକାରରେ ଏଭଳି କେଳେଙ୍କାରୀ ସମ୍ଭବ ନୁହେଁ ।

ଏପଟେ ଅଞ୍ଜନାଙ୍କ ଘରର ଅବସ୍ଥା ଦେଖିବା ପରେ ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଥିବା ଦୃଶ୍ୟମାନ ହେଉଛି । ଅପରପକ୍ଷେ ଯଦି ଅଞ୍ଜନାଙ୍କ ଅଭିଯୋଗ ସତ ହୁଏ ତେବେ ଦେଖିବାକୁ ବାକି ରହିଲା ଅଞ୍ଜନାଙ୍କୁ ସରକାର କେବେ ଘର ଖଣ୍ଡେ ଯୋଗାଇ ଦେଉଛନ୍ତି ଏବଂ ଦୋଷୀ ଉପରେ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା