ଚଢ଼େୟାପଡା ପ୍ରାଥମିକ ବିଦ୍ୟାଳୟରେ ଚଢେଇ ସହିତ ମଧ୍ୟାହ୍ନ ଭୋଜନ ଖାଆନ୍ତି ଛାତ୍ରଛାତ୍ରୀ

ବେଗୁନିଆପଡା : କାଉ, କୁକୁରଙ୍କ ଗହଣରେ ଚାଲିଛି ସ୍କୁଲ ମଧ୍ୟାହ୍ନ ଭୋଜନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦକୋଟ ପଞ୍ଚାୟତ ଚଢ଼େୟାପଡା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ମଧ୍ୟାହ୍ନ ଭୋଜନ ସମୟର ଦୃଶ୍ୟ । ପିଲାଙ୍କ ପାଇଁ ଏଠାରେ ମଧ୍ୟାହ୍ନ ଭୋଜନ ଖାଇବା ଗୃହର ବ୍ୟବସ୍ଥା ନଥିବା ବେଳେ ପିଲାମାନଙ୍କୁ ପ୍ରତ୍ୟେକଦିନ ସ୍କୁଲ ଗୃହ ବାହାରେ ବସି ଖାଇବାକୁ ଦିଆଯାଏ । ଆଉ ସେଠାରେ ପିଲା ଏକା ମଧ୍ୟହ୍ନ ଭୋଜନ କରନ୍ତି ନାହିଁ । ତଙ୍କ ସହିତ ମିଳିମିଶି ଭୋଜନ କରନ୍ତି କାଉ ଏବଂ କୁକୁର । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ସତୁରି ଜଣ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି ।

ରାଜ୍ୟ ସରକାର ପିଲାଙ୍କ ଶିକ୍ଷା ପ୍ରତି ଗୁରୁତ୍ବ ଦେଇ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ବିଦ୍ୟାଳୟର ଏପରି ଦୃଶ୍ୟ ଫମ୍ପା ମାଠିଆର ଶବ୍ଦ ଅଧିକା ଭଳି ମନେ ହେଉଛି । ଏପରିକି ପ୍ରାୟ ୧୭ବର୍ଷ ହେଲାଣି ଠିକାଦାର ଶ୍ରେଣୀ ଗୃହ ନିର୍ମାଣ କରିଥିବା ଦର୍ଶାଇ ବିଲ୍ ନେଇସାରିଛି । ହେଲେ ଏହି ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହ ଦେଖି ଆପଣ ପ୍ରକୃତ ସତ୍ୟ କଣ ଅନୁଭବ କରିପାରୁଥିବେ । ଶିକ୍ଷା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାବେଳେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର କେବେ ସରିବ ତାହାକୁ ଅପେକ୍ଷା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ