ସଭା କରି ସମାଲୋଚିତ ହେଲେ ୫ ଟି ସଚିବ ଭି.କେ ପାଣ୍ଡିଆନ

ସାଲେପୁର : ୫ ଟି ସଚିବ ସଭା କରିବେ । ସେଥିପାଇଁ ଆମକୁ ଡାକି କରି ଆଣିଛନ୍ତି । ହେଲେ ଏ ଖରାରେ ଆମେ ସିଝିଗଲୁଣି । ପାଣି ଟୋପାଏ ଦେବାର ସୁବିଧା ମଧ୍ୟ ନାହିଁ । ଏ କି ପ୍ରକାରର ସମ୍ମାନ । ଏ କଥା ଆମେ କହୁନାହୁଁ । କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ଉପସ୍ଥିତ ମହିଳାମାନଙ୍କର ଏହା ହେଉଛି ଆକ୍ରୋଶ । ସୂଚନା ଅନୁସାରେ ଏହି ସଭାରେ ୫ ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେଇ ଉଦବୋଧନ ଦେଇଥିଲେ । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣ ତଥା ମିଶନ ଶକ୍ତି ମହିଳାମାନଙ୍କୁ ଅବଗତ କରାଇଥିଲେ । ଶ୍ରୀ ପାଣ୍ଡିଆନ ମଧ୍ୟ ଅଭିଯୋଗମାନ ଗ୍ରହଣ କରି ଦାବିଗୁଡ଼ିକ ଖୁବ ଶୀଘ୍ର ପୂରଣ ହେବ ବୋଲି କହିଥିଲେ ।
ତେବେ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ମହିଳାଙ୍କୁ ଗାଡି ପଠାଇ ସଭା ସ୍ଥଳକୁ ଅଣାଯାଇଥିଲେ ହେଁ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିଲା । ସଭା ସ୍ଥଳର ଟେଣ୍ଟ ବାହାରେ ହଜାର ହଜାର ମହିଳା ପ୍ରଚଣ୍ଡ ଖରାରେ ସିଝୁଥିବା ଦେଖିବାକୁ ମିଳିଥିଲା । ଏପରିକି ମହିଳାମାନେ ନିଜେ ଚେୟାର ବୋହି ନେଇ ପଡିଆରେ ବସିବା ସହ ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେବା ସହ କାର୍ଯ୍ୟକ୍ରମର ଅବ୍ୟବସ୍ଥାକୁ ନେଇ ବହୁ ସମାଲୋଚନା କରିଥିଲେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା