ଦ୍ବିପାଞ୍ଚଳର ବିବିଧ ସମସ୍ୟାର ସମାଧାନ ଦାବି କଲା ଉତ୍କଳ ବିକାଶ ପରିଷଦ

ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀ ଚିତ୍ରୋତ୍ପଳା ଓ ଲୁଣା ଚିତ୍ରୋତ୍ପଳା ଦ୍ବିପାଞ୍ଚଳର ବିବିଧ ସମସ୍ୟାର ସମାଧାନ ଦାବି କଲା ଉତ୍କଳ ବିକାଶ ପରିଷଦ । ସମସ୍ୟା ସମ୍ପର୍କରେ ଅବତାରଣା କରି ସମାଧାନ କ୍ଷେତ୍ରରେ ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦଙ୍କ ଇଚ୍ଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ନେମାଳଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ସଦର ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ । ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳରେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ।

ଲଗାଣ ବର୍ଷା ସମୟରେ ଶହଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହି ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥାଏ । ଏହି ଉଦବୃତ୍ତ ଜଳରାଶି ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛି ଉତ୍କଳ ବିକାଶ ପରିଷଦ ।

ସେହିପରି ସାନ୍ତପୁରସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ବିକାଶ ତଥା ଏହି ଅଞ୍ଚଳର ଚାଷୀମାନଙ୍କ ନିମନ୍ତେ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଯିବା ନିମନ୍ତେ ଦାବି ଉପସ୍ଥାପନା କରିଛନ୍ତି ପ୍ରକାଶ ଚନ୍ଦ୍ର ସେଠୀ ।
ରିପୋର୍ଟ :ସାଲେପୁରରୁ ଅଭୟ ଜେନା