ମାଆର ଗୁହାରୀ “ମୁଁ ମୋ’ ଛୁଆକୁ ବିକିନି” !

ଭୋଗରାଇ : ମୁଁ ଗରିବ ଲୋକ ଆଜ୍ଞା । ମୋର ପେଟ ପୋଷିବାକୁ ସମ୍ବଳ ନାହିଁ । ଏତିକିରେ ମୋର ଦ୍ବିତୀୟ ସନ୍ତାନ ଜନ୍ମ ହେଲା । ସେ ପୁଅ ହେଉ ଅବା ଝିଅ । ମୁଁ ଆଉ ମୋ ସ୍ବାମୀ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ ତାକୁ ଅନ୍ୟ ଜଣଙ୍କୁ ଦାନ କରିବୁ । ଭାଗ୍ୟକୁ ମୋର ଝିଅଟିଏ ହେଲା । ଆଉ ଆମେ ତାକୁ ସ୍ବ-ଇଚ୍ଛାରେ ଦାନ କରିଛୁ । ତାକୁ ବିକି ନାହୁଁ ଆଜ୍ଞା । ଆପଣ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ଏ କଥା ହେଉଛି ଜଣେ ମାଆର । ସନ୍ତାନ ଜନ୍ମ କରିବା ପରେ ଛାତିକୁ ପଥର କରି ନିଜର ପରିବାରର ସ୍ଥିତିକୁ ଦେଖି ନିଜ ଜନ୍ମିତ ଶିଶୁର ଭବିଷ୍ୟତ ପାଇଁ ତାକୁ ଅନ୍ୟ ହାତକୁ ଟେକି ଦେଇଥିବା ଏକ ମାଆର କାହାଣୀ । ଜଣେ ମାଆ ନିଜର ଜନ୍ମିତ ସନ୍ତାନର ଭବିଷ୍ୟତ ପାଇଁ ଅନ୍ୟ ହାତକୁ ଟେକିଥିବା କହୁଥିବାବେଳେ ନବଜାତ ଶିଶୁକୁ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ର କରିଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏପରିକି ହସ୍ପିଟାଲ କତୃପକ୍ଷଙ୍କ ଷଡଯନ୍ତ୍ରରେ ନବଜାତ ଶିଶୁକୁ ୧୦ ହଜାର ଟଙ୍କା ଅଗ୍ରିମ ନେଇ ବିକ୍ରି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି ।
ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ତଲାଡି ଗାଁର । ସୂଚନା ଅନୁସାରେ, ତଲାଡି ଗାଁର ସୁଷମା ଦାସ ଗତ ୩୧ ତାରିଖ ସୋମବାର ରାତିରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦ୍ୱିତୀୟ କନ୍ୟାକୁ ଜନ୍ମ ଦେଇଥିଲେ l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡେଣ୍ଟ ଭାବେ କାମ କରୁଥିବା କଖଡ଼ା ଗ୍ରାମର ଶକ୍ତିପଦ ସାହୁଙ୍କ ଜରିଆରେ ୨ ଦିନର ଶିଶୁ କନ୍ୟାକୁ ଗତ ମଙ୍ଗଳବାର ଦିନ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିବା ଲାଗି କଥାବାର୍ତ୍ତା ହୋଇଥିବାବେଳେ ୧୦ ହଜାର ଟଙ୍କା ଅଗ୍ରିମ ନେଇ ଝିଅକୁ ବାପା-ମାଆ ବିକ୍ରି କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଏ ନେଇ ଗାଁରେ ଏକ ଅଭାବନୀୟ ପରିସ୍ଥିତ ଦେଖିବାକୁ ମିଳିଛି । ଅପରପକ୍ଷରେ ଶିଶୁ କନ୍ୟାର ମାଆ ସୁଷମା ଦାସ କହିଛନ୍ତି, ଦlରିଦ୍ରତା ଓ ରହିବା ପାଇଁ ଘର ଖଣ୍ଡିଏ ନ ଥିବାରୁ ଆମେ ବାଧ୍ୟ ହୋଇ ଆମର ଶିଶୁ କନ୍ୟାକୁ ବିକ୍ରି ନ କରି ଜଣେ ବ୍ୟକ୍ତିଙ୍କୁ ଦେଇ ଦେଇଛୁ l ଏ ବିଷୟରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର କମଳାକାନ୍ତ ଜେନାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ । ସତ କଣ ତାହା ତଦନ୍ତ ପରେ ଜଣାପଡିବ । ମାତ୍ର ଏ ନେଇ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି ପୂର୍ବତନ ସରପଞ୍ଚ ଗଣେଶ ଘଡ଼ାଇ ପ୍ରକାଶ କରିଛନ୍ତି । ଏବଂ ଯଦି ଏହି ଘଟଣାରେ ଅପରାଧର ଦୁର୍ଗନ୍ଧ ବାରି ହୁଏ ତେବେ ଏ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ l
ରିପୋର୍ଟ : ଭୋଗରାଇରୁ ସୁବାସ ଦାସ ଓ ମିତା ପାତ୍ର