ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ, ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ

ବ୍ୟୁରୋ ରିପୋର୍ଟ : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ । ଫଳରେ କଟକ ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ୫ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ସେପଟେ ଶିମିଳିପୁର ବିଲିପଡ଼ା ରାସ୍ତାର କଇଁଆ ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡ଼ାରୁ ଶିମିଳିପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବନ୍ୟାଜଳ ପ୍ରବେଶ ଯୋଗୁଁ ହେକ୍ଟର ହେକ୍ଟର ଜମି ଏବେ ଜଳମଗ୍ନ ହୋଇଯାଇଛି ।
କଟକ ମୁଣ୍ଡୁଳିଠାରେ ଜଳସ୍ତର ବଢ଼ୁଥିବାରୁ ବନ୍ୟା ସମ୍ଭାବନା ଆଶଙ୍କା ପ୍ରକାଶ ପାଇଛି । ବନ୍ୟା ସ୍ଥିତି ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ଏସ୍.ଆର୍.ସି । ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା । ନୟାଗଡ଼ ଓ କଟକରେ ବନ୍ୟାଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି । ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ସହ ଅଗ୍ନିଶମ ବିଭାଗର ୨ଟି ଲେଖାଏଁ ଟିମ୍ ପଠାଯାଇଛି ।
ଏହାବାଦ ୧୫ ଜିଲ୍ଲାକୁ ୮ ଟି ଏନଡିଆରଏଫ୍ ଟିମ୍, ୧୩ଟି ଓଡ୍ରାଫ୍ ଟିମ୍ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମବାହିନୀର ଟିମ୍ ପଠାଯାଇଛି । ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ।