ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲା ମା’ଙ୍କ ବିଗ୍ରହ । ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶକଲା ବନ୍ୟାଜଳ ।

କଟକ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିର ପରିସର ଜଳମଗ୍ନ ହୋଇଛି । ମନ୍ଦିର ବେଢ଼ା ଓ ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ଏଥିପାଇଁ ମା’ଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନ ରତ୍ନଗିରି ପାହାଡ଼ରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।
ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପ୍ରବେଶ କରିଥିଲା । କ୍ରମଶଃ ଏହା ବୃଦ୍ଧି ପାଇ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଆଜି ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରକୁ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଛି । ମା’ଙ୍କର ପୂଜାନୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏ ନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି ।