ଚାରିଆଡେ ଏବେ ମାଣ୍ଡିଆ କ୍ରେଜ୍…

ବେଗୁନିଆପଡା : ମାଣ୍ଡିଆ ଏବେ ନିତିଦିନିଆ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଣ୍ଡିଆର ଚାହିଦା । ମାଣ୍ଡିଆରୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହେବା ସହିତ ମାଣ୍ଡିଆକୁ ପ୍ରଦାନ କରିଛନ୍ତି ଏକ ନୂଆ ଟ୍ବିଷ୍ଟ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବତନ୍ତ୍ର ପରିଚୟ ଦେଇଛି ମାଣ୍ଡିଆ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମିଲେଟ ମିଶନକୁ ଗୁରୁତର ସହିତ ନିଆଯାଇ ଜିଲ୍ଲାର ବେଗୁନିଆପଡା ବ୍ଲକ କେ.ବରିଡାଠାରେ ସମାଜସେବୀ ମିରାବାଇଙ୍କଦ୍ବାରା ଆୟୋଜିତ ହୋଇଛି ମାଣ୍ଡିଆ ପାଠଶାଳା । ଏହା ମାଧ୍ୟମରେ ସେ ଚାଷୀଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସାହିତ କରିଛନ୍ତି । “ମିଲେଟ୍ ମିଶନ” ମାଧ୍ୟମରେ ଜିଲ୍ଲାରେ ମାଣ୍ଡିଆର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।
ମାଣ୍ଡିଆ ଭଳି ପୃଷ୍ଟିକର ଶସ୍ୟର ବ୍ୟବହାର କରି ଅନେକ ସାମଗ୍ରୀ ପ୍ରସ୍ତୁତ କରାଯାଇପାରୁଛି । ଜିଲ୍ଲାର ଏକମାତ୍ର ମିଲେଟ କାଫେ ପ୍ରଥମଥର ପାଇଁ ବେଗୁନିଆପଡା ବ୍ଲକ କେ.ବରିଡା ଜଗନ୍ନାଥ ମନ୍ଦିର ନିକଟରେ ସମାଜସେବୀ ମିରାବାଇ ଦେଓଙ୍କ ସହଯୋଗ ଓ ସୁଜାତା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ “ଜୟ ଜଗନ୍ନାଥ” ଦ୍ବାରା ଆରମ୍ଭ କରାଯାଇଛି । ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ କାକରା, ଆରିସା, ଖିରି, ଚକୁଳି, କେକ୍, ମାଲପୁଆ, ଇଟିଲି, ବରା, ପକୁଡି, ବିସ୍କୁଟ, ମିକ୍ସର ଓ ବିଭିନ୍ନ ମୃଦୁ ପାନୀୟ ତଥା ମାଣ୍ଡିଆ ସେକ୍ ପ୍ରଭୃତି ପାରମ୍ପରିକ ଖାଦ୍ୟ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି ।
ପ୍ରତ୍ୟେକ ଦିନ ସକାଳୁ ଓ ସଂଧ୍ୟାରେ ଏସବୁ ପାରମ୍ପରିକ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମିଲେଟ ମିଶନରେ ଅଂଶୀଦାର ହୋଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ଘର ଖାଦ୍ୟ ଭଳି ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଥିବାରୁ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସମାଜସେବୀ ମିରାବାଇ ଦେଓ ଏସବୁ ସ୍ଥାନ ପରିଦର୍ଶନ କରିଥିବା ବେଳେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଅଞ୍ଚଳର ଚାଷୀ କିପରି ଆର୍ଥିକସ୍ତରରେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ