ସଂଘର ନିଷ୍ପତ୍ତି । ଉଚ୍ଚସ୍ବରରେ ଡିଜେ ବାଜିଲେ ଫାଇନ୍ ଦେବ ସମ୍ପୃକ୍ତ ସଂସ୍ଥା…

ଜଗତସିଂହପୁର : ଏଣିକି ଉଚ୍ଚସ୍ୱରରେ ବାଜି ପାରିବ ନାହିଁ ଡିଜେ । ଜିଲ୍ଲାର ସମସ୍ତ ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଏବଂ ସରକାରୀ ଦପ୍ତର ସମ୍ମୁଖ କିମ୍ବା ପାଖରେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ହେବ । ରାତି ୧୦ଘଟିକା ପରେ ଡିଜେ ଆଦି ସାଉଣ୍ଡ ବନ୍ଦ କରିବା ବାଧ୍ୟତାମୂଳକ । ନିୟମ ନ ମାନିଲେ ଜୋରିମାନା ଦେବାକୁ ପଡିବ । ଏକଥା ନିଜ ଆଡୁ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଡ ଲାଇଟ୍ ଆଣ୍ଡ ସାଉଣ୍ଡ ମାଲିକ ସଂଘ । ଶବ୍ଦ ପ୍ରଦ୍ୟୁଷଣ ରୋକିବା ସହ ଏହି ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ ମାଲିକମାନଙ୍କ ସୁରକ୍ଷା ସହ ସମାଜ କଲ୍ୟାଣ ପାଇଁ ସଂଘର ଏହା ଏକ ପରିକଳ୍ପନା ବୋଲି କୁହାଯାଇଛି ।
ଏ ନେଇ ଜଗତସିଂହପୁର ଜିଲ୍ଲା ରାହାମାସ୍ଥିତ ଜିତ୍ ମଣ୍ଡପରେ ଜଗନ୍ନାଥ ଟେଣ୍ଡ ଲାଇଟ୍ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିଶିର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ତିର୍ତ୍ତୋଲ, କୁଜଙ୍ଗ, ଜଗତସିଂହପୁର, ରଘୁନାଥପୁର, ପାରାଦ୍ୱୀପ ସମେତ ଜିଲ୍ଲାର ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଟେଣ୍ଡ, ଲାଇଟ୍ ଏବଂ ସାଉଣ୍ଡ ମାଲିକଙ୍କ ସମେତ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ମାଲିକମାନେ ଭାଗ ନେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକ ଅବସରରେ ସଂଘର କର୍ମକର୍ତ୍ତା, ବରିଷ୍ଠ ମାଲିକ, କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଂଘର ସଭାପତି ଶିଶିର କୁମାର ଦାସ ସଂଘର ଆଭିମୁଖ୍ୟ ଓ ସାଉଣ୍ଡ ନିୟମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ