ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କାମ କରେ ପାଣ୍ଡବ ଜେନା ଫାଉଣ୍ଡେସନ୍

ଜଟଣୀ : ସଂସ୍କୃତି ସୁରକ୍ଷା ସମିତି ନେତୃତ୍ବରେ ଓ ପାଣ୍ଡବ ଜେନା ଫାଉଣ୍ଡେସନ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପରିସରରେ ଷୋଡଶ ମେଧାବୀ ଅଭିନନ୍ଦନ ୨୦୨୩ ଅନୁଷ୍ଠିତ ହୋଇଯାଇଛି l ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସମାଜସେବୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀର ମୁଖ୍ୟ ସମ୍ପଦାକ ତଥାଗତ ଶତପଥୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ନାଇଜରର ଡିନ୍ ଡ. ପ୍ରଣୟ କୁମାର ସ୍ୱାଇଁ, ଏନ୍ଏସ୍ଏସ୍ ଓଡିଶା ଆଡଭାଇଜର ମଧୁସୂଦନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଦାୟିତ୍ବ ସମ୍ଭାଳିଥିଲେ ତ୍ରିଲୋଚନ ମହାପାତ୍ର ।
ଚଳିତ ବର୍ଷ ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ୨୭୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ୨୧୨ ଜଣ ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି, ମେଡିକାଲ୍ ଓ ଇଞ୍ଜିନିୟରିଂ ପିଲାଙ୍କୁ ତାଙ୍କ ଘରେ ସହାୟତା ପହଞ୍ଚାଇ ଦିଆଯିବ ବୋଲି ପାଣ୍ଡବ ଜେନା ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି I ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମିତ୍ତ ଏବଂ ସର୍ବୋଚ୍ଚ ନମ୍ଵର୍ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ସହ ସାଇକେଲ ବଣ୍ଟନ କରାଯାଇଛି I
ଦୀର୍ଘ ୧୬ ବର୍ଷ ଧରି ପାଣ୍ଡବ ଜେନା ଫାଉଣ୍ଡେସନ୍ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଆସୁଛି I ତାଙ୍କର ନିଜସ୍ୱ ପାଣ୍ଠିରୁ ୨୦୨୨ ମସିହା ପର୍ଯ୍ୟନ୍ତ ୫ ହଜାର ୮ ଶହ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ