ସରପଞ୍ଚଙ୍କ ମନମାନି । ବିନା ଅନୁମତିପତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖନନ କଲେ ସରପଞ୍ଚ । ଏବେ ଯାତାୟତରେ ଅସୁବିଧା ଭୋଗୁଛନ୍ତି ଜନସାଧାରଣ…

ହିନ୍ଦୋଳ : ସରପଞ୍ଚଙ୍କ ମନମାନି । ସରକାରୀ ନିୟମକୁ ଉଲ୍ଲଂଘନ କରି ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତର ସରପଞ୍ଚ ଗ୍ରାମ ପ୍ରବେଶ ପଥକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖନନ କରି ଏକ ବିରାଟ ଗେଟ୍ ନିର୍ମାଣ ଆରମ୍ଭ କରିଛନ୍ତି । ଗାଁକୁ ପ୍ରବେଶ କରିବାର ଏକମାତ୍ର ପଥକୁ ଖୋଳି ଦିଆଯାଇଥିବାରୁ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ଏପରିକି ଲୋକମାନଙ୍କ ଯାତାୟାତ ସୁବିଧା ପାଇଁ କୌଣସି ବାଇପାସ୍ ରାସ୍ତାର ବ୍ୟବସ୍ଥା ହୋଇ ନ ଥିବାରୁ ବର୍ଷାରେ ଗ୍ରାମବାସୀ ହଇରାଣ ହେଉଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ପଞ୍ଚାୟତ ବିଭାଗ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖୋଳା ଯାଇଥିବାବେଳେ ସରପଞ୍ଚ ବିନା ଅନୁମତି ପତ୍ରରେ ଏହି ରାସ୍ତାକୁ କାଟିଛନ୍ତି । ତେବେ ସରପଞ୍ଚଙ୍କ ଏଭଳି ମନମାନିକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଗ୍ରାମବାସୀଙ୍କ ସୂଚନା ଅନୁସାରେ, ରାସ୍ତା କଟାଯାଇଥିବା ନେଇ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବିଧିବଦ୍ଧ ନିୟମ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ନିକଟରୁ ସରପଞ୍ଚ କିମ୍ବା ବ୍ଲକ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ କୌଣସି ଅନୁମତି ପତ୍ର ନେଇନାହାନ୍ତି ।
ଅପରପକ୍ଷେ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଏ ବାବଦରେ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ସରପଞ୍ଚଙ୍କୁ ଆରଡି ବିଭାଗରୁ ଅନୁମତି ପତ୍ର ଆଣି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ମାତ୍ର ତାହା ହୋଇ ନଥିବାରୁ ସେ ଦିନେ ଦୁଇ ଦିନ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁମତିପତ୍ର ପାଇଁ ଚିଠି ମାଧ୍ୟମରେ ଜଣାଇବେ । ତେବେ ଜାଣିଶୁଣି ଯଦି ସରପଞ୍ଚ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା