ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନିର୍ବାହୀ ଯନ୍ତ୍ରୀ ଓ ଜିଆରଏସ ତିଆରି କରୁଛନ୍ତି ମିଥ୍ୟା ମଷ୍ଟରୋଲ

ଓଡାପଡା : ମନରେଗା ୱେବସାଇଟ୍ ତଥ୍ୟ କହୁଛି ଆଜିକୁ ବର୍ଷେ ପୂର୍ବରୁ କାମ ସରିଛି । ଏମିତିକି ବିଲ୍ ମଧ୍ୟ ହୋଇସାରିଛି । ହେଲେ ଗ୍ରାଉଣ୍ଡଜିରୋରେ ପବନରେ ଫାଶ ବୁଣିଲା ପରି ସରକାରୀ ଅଟକଳକୁ ନିଜ ପକେଟରେ ପୁରାଇ କୁବେର ସମ୍ପତିର ମାଲିକ ହେଉଛନ୍ତି ଠିକାଦାରମାନେ । ଆଉ ଏଥିରେ ସିଧାସଳଖ ସହଯୋଗ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ GRS । ବିନା କାମରେ ମିଥ୍ୟା ମଷ୍ଟରୋଲ ପ୍ରସ୍ତୁତ କରି ଚଞ୍ଚକତା ପୂର୍ବକ ଏହି ସବୁ କାର୍ଯ୍ୟ ଚାଲିଥିବା ବେଳେ ଅଧିକାରୀମାନେ ଜାଣି ନ ଜାଣିବା ପରି କଥା ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତରେ l

ସୂଚନା ମୁତାବକ ଵଦାଳୋ ଗ୍ରାମପଞ୍ଚାୟତରେ ୨୦୨୧-୨୨ ବର୍ଷରେ ମନରେଗା ଯୋଜନାରେ ନରହରିପୁର ଘୋଡ଼ାଡ଼ିଆଁ ରାସ୍ତାର ଉନ୍ନତିକରଣ ନିମନ୍ତେ ଦଶଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପୂର୍ବରୁ ଘୋଡାଡିଆଁ ଗ୍ରାମର ରଗୁଡି ସାହି ଶେଷ ମୁଣ୍ଡ ଓ ନରହରିପୁର ଗ୍ରାମ ଆରମ୍ଭରୁ କିଛି ରାସ୍ତା କଂକ୍ରିଟ ହୋଇଥିଲା । ଆଉ ବାକି ପ୍ରାୟ ଶହେ ମିଟର ରାସ୍ତାର ଉନ୍ନତିକରଣ କରାଯିବା କଥା l ମାତ୍ର ତାହା କରାନଯାଇ ମିଛ ମଷ୍ଟରୋଲ ପ୍ରସ୍ତୁତି କରି ପାଞ୍ଚଲକ୍ଷ ଟଙ୍କାର ବିଲ୍ ଉଠାଯାଇଛି । ବିନା ପଲ୍ଲୀ ସଭାରେ ଏହି କାର୍ଯ୍ୟ କରାଯାଇଥିବା ବେଳେ ଠିକାଦାର କୌଣସି କାର୍ଯ୍ୟ ନ କରି ଉଭୟ ଜେଇ ଓ GRSଙ୍କ ମିଲିଭଗତରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା କଥା ଖୋଦ ଵଦାଳୋ ଗ୍ରାମପଞ୍ଚାୟତର ଗ୍ରାମସାଥି ଅଭିଯୋଗ କରିଛନ୍ତି l
ବର୍ତମାନ ଉକ୍ତ ଘୋଡ଼ାଡ଼ିଆଁ-ନରହରିପୁର ରାସ୍ତା କାଦୁଅ ପଚପଚ ହୋଇଥିବା ସହ ରାସ୍ତା ମଝିରେ ଆଣ୍ଠୁଏ ଗଭୀରର ଖାଲ ହୋଇଛି । ଯାହା ଫଳରେ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଲୋକମାନେ ଏ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏ ବବାଦରେ ଓଡାପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକିୟା ନେବାରୁ ସେ କହିଛନ୍ତି ଯେ, “ମୁଁ ଗଣମାଧ୍ୟମ ଜରିଆରେ ଏହି ଅଭିଯୋଗଟିକୁ ଜାଣିଲି ଏବଂ ଏହାର ତଦନ୍ତ ଚାଲିଛି । ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

କେନ୍ଦ୍ରସରକାର ଗ୍ରାମଞ୍ଚଳରେ ସମସ୍ତଙ୍କୁ ରୋଜଗାରକ୍ଷମ କରିବା ଉଦେଶ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କଲେ । ଏପରିକି ଲୋକଙ୍କୁ କର୍ମ ଦେବା ଉଦ୍ଦେଶ୍ୟରେ ଏ ନେଇ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟ କଲେ । ମାତ୍ର ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଏଥିରେ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହା ଫଳରେ ଲୋକଙ୍କ ହିତରେ ଜାରି ହୋଇଥିବା ସରକାରଙ୍କ ଯୋଜନା ସବୁ କେବଳ ପ୍ରଚାର ପ୍ରସାରରେ ରହିଯାଉଛି ଏବଂ ଏହାର ସମ୍ପୂର୍ଣ୍ଣ ଫାଇଦା, ବ୍ଲକ ଓ ପଞ୍ଚାୟତସ୍ତରର ସରକାରୀବାବୁ ଓ ଠିକାଦାରମାନେ ପାଉଛନ୍ତି ।

ଵଦାଳୋ ଗ୍ରାମପଞ୍ଚାୟତ ନରହରିପୁର ଗ୍ରାମରେ ଅତି ଆବଶ୍ୟକ ହେଉଥିବା ରାସ୍ତା କାମ କାଗଜ କଲମରେ ସରିଛି । ହେଲେ ଗ୍ରାଉଣ୍ଡ ଜିରୋରେ ସତ୍ୟ ପ୍ରଦର୍ଶିତ କରାଇବା ପରେ ସରକାରଙ୍କୁ ବଦନାମ କରୁଥିବା ଅଧିକାରୀଙ୍କ ପ୍ରତି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଓଡାପଡାରୁ ଗୋପବନ୍ଧୁ ବାରିକ