ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି ବି ସହିଦ ଗୋପୀନାଥଙ୍କୁ ଝୁରେ ଜନ୍ମମାଟି…

ସାଲେପୁର : କାର୍ଗିଲ ଯୁଧ୍ୟରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା । ଗୋପୀନାଥ ମାତ୍ର ୧୮ବର୍ଷ ବୟସରେ ୫୨୮ବାଟାଲିୟନରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । କାର୍ଗିଲ ଯୁଧ୍ୟ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସରେ ସହିଦ ହୋଇଥିଲେ ସହିଦ ଗୋପୀନାଥ ମହାରଣା । ଇତିମଧ୍ୟରେ କାର୍ଗିଲ ଯୁଧ୍ୟକୁ ବିତିଗଲାଣି ୨୪ ବର୍ଷ । ଏବେବି ଯୁଧ୍ୟରେ ସହିଦ ହୋଇଥିବା ଗୋପୀନାଥଙ୍କୁ ଝୁରୁଛି ଜନ୍ମମାଟି । ପିତା ଯଦୁମଣି ମହାରଣାଙ୍କର ଇତି ମଧ୍ୟର ପରଲୋକ ହୋଇଯାଇଛି । ଆଉ ମାତା ଝୁମୁରୀ ମହାରଣା ପୁଅର ପ୍ରତିମୂର୍ତ୍ତି ନିକଟରେ ଅତୀତକୁ ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଜି ବି ତାଙ୍କର ଜନ୍ମମାଟି ସହିଦ ଗୋପୀନାଥଙ୍କ ଦେଶ ମାତୃକା ପାଇଁ ଦେଇଥିବା ବଳିଦାନର ସ୍ମୃତିକୁ ଉଜାଗର କରୁଛି । ଜୁଲାଇ ୨୬ ତାରିଖ ଦିନଟିକୁ ସାରାଭାରତ ବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି । ଏହି ଦିନ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୃହତ ବିଜୟ ହୋଇଥିଲା । ଏଥିପାଇଁ ପ୍ରତ୍ୟେକ ଭାରତୀୟ କାର୍ଗିଲ ବିଜୟ ଦିବସରେ ଗର୍ବର ସହ ଭାରତ ମାତାର ଜୟଗାନ କରୁଛନ୍ତି । କାର୍ଗିଲ ବିଜୟ ଦିବସରେ ଜନ୍ମ ମାଟିରେ ଥିବା ଆବକ୍ଷ ପ୍ରତିମୂର୍ତ୍ତିରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କ ପ୍ରତି ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା