ପ୍ରକଳ୍ପ ନାମରେ ଚାଲିଛି ଠକେଇ, ଲୋକଙ୍କ କାର୍ଯ୍ୟରେ ଆସୁନି ଭୂତଳ ଜଳ ଅମଳ ପ୍ରକଳ୍ପ

ହିନ୍ଦୋଳ : ପ୍ରକଳ୍ପ ଅଛି ମାତ୍ର ତାହା କେତେ କାର୍ଯ୍ୟକାରୀ ହେଉଛି ତାହାର ନିଘା ରଖିବାକୁ କେହି ନାହିଁ । ହିନ୍ଦୋଳ NACରେ ପ୍ରହସନ ପାଲଟିଛି ଭୂତଳ ଜଳ ଅମଳ ପ୍ରକଳ୍ପ । ମାତ୍ର ବର୍ଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲାଣି ଅଧାରୁ ଅଧିକ ଭୂତଳ ଜଳ ଅମଳ ପ୍ରକଳ୍ପ । ରାଜ୍ୟ ସରକାର ପାନୀୟ ଜଳକୁ ସଂରକ୍ଷିତ ରଖିବା ପାଇଁ ଭୂତଳ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ ଏହି ପ୍ରକଳ୍ପର ଦୃଶ୍ୟ ଦେଖିଲେ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା କଣ ବୋଲି ଏକ ଅବାଞ୍ଛିତ ପ୍ରଶ୍ନ ମନରେ ଉଙ୍କି ମାରିବ ।

ଭବିଷ୍ୟତରେ ଯଦି ପାନୀୟ ଜଳକୁ ସଂରକ୍ଷଣ କରା ନ ଯାଏ, ତେବେ ଜଳ ବିହୁନେ ସୃଷ୍ଟି ନାଶ ହେବା ଥୟ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ସହରାଞ୍ଚଳ ଗୁଡିକରେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ତିଆରି କରୁଛନ୍ତି । ଅଯଥାରେ ବହି ଯାଉଥିବା ବର୍ଷା ଜଳକୁ ଏହି ପ୍ରକଳ୍ପ ମାଧ୍ୟମରେ ଭୂତଳରେ ସଂରକ୍ଷଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମାତ୍ର ହିନ୍ଦୋଳ NAC ରେ ରାଜ୍ୟ ସରକାରଙ୍କ “ମୁକ୍ତା ଯୋଜନା” ସ୍ବାର୍ଥନ୍ୟସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ପକେଟ ଗରମ ହେବାର ଯୋଜନା ପାଲଟିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡିକ ଏବେ ଅଧାରୁ ଅଧିକ ନିଶ୍ଚିହ୍ନ ହେବାକୁ ଗଲାଣି ।

ସୂଚନା ଅନୁସାରେ, SHG ମହିଳାଙ୍କୁ ଭୂତି ଧରାଇ ବିଭିନ୍ନ ୱାର୍ଡର ଦଳୀୟ କର୍ମୀମାନେ ଭୂତଳ ଜଳ ପ୍ରକଳ୍ପ କାମ କେଉଁଠି ଅତ୍ୟନ୍ତ ନିମ୍ନମାନର କରିଥିବାବେଳେ ଆଉ କେଉଁ ଜାଗାରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଏବେ ଭୂତ ହେବାକୁ ବସିଛି । ଅନେକ ସ୍ଥାନରେ ପ୍ରକଳ୍ପ ଉପରେ ନଟି ମାଡି ଯାଇ ଜଙ୍ଗଲ ଭ୍ରମ ସୃଷ୍ଟି କରୁଥିବାବେଳେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ କଣ ସାଧନ ହୋଇପାରୁନାହିଁ । ଆଉ କେଉଁଠି ଦୁର୍ବୃତ୍ତମାନେ ନନ୍ଦକୁ କାଢି ନେଇଛନ୍ତି ତ କେଉଁଠି ଇଟା ଖସି ଖଣ୍ଡ ଖଣ୍ଡ ହୋଇଯାଇଛି । ତେବେ ବାସ୍ତବରେ ହିନ୍ଦୋଳ NAC କର୍ତ୍ତୃପକ୍ଷ ବର୍ଷା ଜଳକୁ ସଂରକ୍ଷଣ କରୁଛନ୍ତି ନା ଏହି ପ୍ରକଳ୍ପ କେବଳ ଶସ୍ତା ସୁନ୍ଦର ଠିକାଦାରୀର ଯୋଜନା ସଦୃଶ୍ୟ ପ୍ରହେଳିକା ସାଜିଛି ବୋଲି ଜନସାଧାଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାବେଳେ ମୌସୁମୀ ବତାସରେ କେବେ ହିନ୍ଦୋଳ NAC କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା । ଏପଟେ ପ୍ରକଳ୍ପ ନାମରେ ହେଉଥିବା ଠକେଇ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା