ଜଟଣୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚିକିତ୍ସାଳୟ ଅଛି, ହେଲେ ଡାକ୍ତର ଏବଂ ଅତ୍ୟାବଶ୍ୟକୀୟ ଉପକରଣ ନାହିଁ !

ଜଟଣୀ : ସିଜିନ୍ ବାଣିଜ୍ୟର ପେଣ୍ଠସ୍ଥଳ ଜଟଣୀ ସହର । ଜଟଣୀ ସହରରେ ରହିଛି ଖୋର୍ଦ୍ଧା ରୋଡ ରେଲୱେ ଡିଭିଜନ୍ । ଏପରିକି ଆଇଆଇଟି, ନାଇଜର ଭଳି ଶିକ୍ଷାନୁଷ୍ଠାନ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ସହରର ଶୋଭାବର୍ଦ୍ଧନ କରୁଛି । ଜଟଣୀ ଏକ ନିର୍ବାଚନ ମଣ୍ଡଳୀ ହୋଇ ମଧ୍ୟ ଏଠାରେ ଲୋକଙ୍କୁ ମିଳିପାରୁନି ଉତ୍ତମ ସ୍ବାସ୍ଥ୍ୟ ସେବା । ରାଜ୍ୟ ସରକାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀ ମେଡିକାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜନସାଧାରଣ କିପରି ଉତ୍ତମ ଚିକିତ୍ସା ପାଇବା ସହ ନିରାମୟ ଯୋଜନାରେ ମାଗଣା ଔଷଧ ପାଇବେ ସେ ନେଇ ମଧ୍ୟ ଯୋଜନା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଜଟଣୀ ମୁଖ୍ୟ ଚିକିତ୍ସାଳୟ ଅବହେଳିତ ଅବସ୍ଥାରେ ରହିଛି । ଏଠାରେ ଜନସାଧାରଣଙ୍କୁ ଠିକ୍ ରୂପରେ ଚିକିତ୍ସା ସେବା ମିଳିବା ତ ଦୂରର କଥା ନା ଅଛି ଅତ୍ୟାଧୁନିକ ଆବଶ୍ୟକ ଉପକରଣ ନା ଅଛି ଅକ୍ସିଜେନ ଓ ଭେଣ୍ଟିଲେଟର ବ୍ୟବସ୍ଥା । ଏପରିକି ନ୍ୟୁନ ଆମ୍ବୁଲାନ୍ସ ସେବା ସହିତ ଡାକ୍ତରଙ୍କ ଅଭାବ ଚିକିତ୍ସାଳୟର ଅବ୍ୟବସ୍ଥାର ଚିତ୍ରକୁ ପ୍ରତିପାଦିତ କରୁଛି । ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ରୋଗୀଙ୍କୁ ଅନେକ ସମୟରେ ଭୁବନେଶ୍ବର କିମ୍ବା କଟକ ରେଫର କରାଯାଉଥିବାବେଳେ ଚିକିତ୍ସା ସଂଖ୍ୟା ଅପେକ୍ଷା ଜଟଣୀ ଚିକିତ୍ସାଳୟରେ ରେଫର୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ସ୍ବର ଉଠାଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ । ସଂଗଠନ ପକ୍ଷରୁ ୧୦ ଦଫା ଦାବି ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଦାବିପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ