ବିରଳ ଚକ୍ଷୁ ରୋଗରେ ପୀଡିତ ଦୁଇ ଜମଜ ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ଗଞ୍ଜାମ : ଖାଉଟି କାର୍ଡରେ ନାମ ସଂଯୋଗ କଲେ ହୋଇପାରିବ ପୁତ୍ରର ଚିକିତ୍ସା । ବିରଳ ଚକ୍ଷୁ ରୋଗରେ ପୀଡିତ ଦୁଇ ଜମଜ ସନ୍ତାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କ ଆଠ ମାସର ଦୁଇଟି ଜମଜ ପୁତ୍ର ଦେବଂଶ ଓ ସିବଂଶ ବିରଳ ଚକ୍ଷୁ ରୋଗରେ ପୀଡିତ ଅଛନ୍ତି । ଡାକ୍ତରଙ୍କ କହିବା କଥା ହେଲା ଏମାନଙ୍କ ଚକ୍ଷୁରେ ରେଟିନୋ ବ୍ଳାଷ୍ଟୋମା (ଏକପ୍ରକାରର କ୍ୟାନସର) ହୋଇଛି । ବର୍ତ୍ତମାନ ଏହି ଦୁଇ ଶିଶୁଙ୍କ ଭୁବନେଶ୍ଵରର ଏକ ଚିକିତ୍ସାଳୟରେ କେମୋଥେରାପି ଚିକିତ୍ସା ଚାଲିଛି । ଜିତେନ୍ଦ୍ର ଜଣେ ଗରିବ ଶ୍ରେଣୀର ଲୋକ ଅଟନ୍ତି । ଗ୍ରାମବାସିଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ହେଲେ ବର୍ତ୍ତମାନ ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ତେବେ ଜିତେନ୍ଦ୍ରଙ୍କ ନାମରେ ଏକ ରାସନ କାର୍ଡ ରହିଛି, ଯାହା ସହାୟତାରେ ସେ ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା କରିବା ପାଇଁ ସୁବିଧା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ରାସନ କାର୍ଡରେ ଏହି ଦୁଇ ନିଷ୍ପାପ ଶିଶୁଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ । ଏ ନେଇ ସମାଜସେବୀ ମିରାଦେଓଙ୍କ ସହ ଜିତେନ୍ଦ୍ର, ତାଙ୍କ ପତ୍ନୀ ଦୁଇ ଶିଶୁଙ୍କୁ ଧରି ବେଗୁନିଆପଡା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀଙ୍କ ନିକଟରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରିଛନ୍ତି । ଅପରପକ୍ଷେ ବିଡିଓ ଏ ନେଇ ଯୋଗାଣ ଅଧିକାରୀଙ୍କୁ ଏହି ଦିଗରେ ତୁରନ୍ତ ପଦକ୍ଷପ ନେବା ପାଇଁ ନିର୍ଦ୍ଦେଷ ଦେଇଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ