୨୦୧୭ ମସିହାରୁ ଓଡିଶାରେ ବାୟୁ ପ୍ରଦୂଷଣର ହାରାହାରି ସ୍ତରରେ ୬୭% ବୃଦ୍ଧି ଘଟିଛି…

ଭୁବନେଶ୍ୱର : ସ୍ଥାୟୀ ସମସ୍ୟା ତଥା ପରିବେଶ ସମସ୍ୟାର ସମାଧାନ ପାଇଁ ସ୍ଵିଚଅନ୍ ଫାଉଣ୍ଡେସନ ଜ୍ଞାନ ସହଭାଗୀ ଭାବରେ ସକ୍ରେଟସ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଦ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍ ଇଣ୍ଡିଆ) ସହଯୋଗରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା ଆୟୋଜିତ କରିଛି । ଏହି ଅବସରରେ ଭୁବନେଶ୍ୱର, କଟକ ଏବଂ ପୁରୀର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ସ୍ଵିଚଅନ୍ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ବିନୟ ଜାଜୁ ଉପସ୍ଥିତ ରହି ଜଳବାୟୁ ସଙ୍କଟ ସମ୍ମୁଖୀନ ହେଉଥିବା ସବୁଠାରୁ ଦୁର୍ବଳ ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ ବୋଲି କହିଥିଲେ । ଏହା ସହ ବାୟୁ ପ୍ରଦୂଷଣ ଏବଂ ଜନସାଧାରଣଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟାନୁଷ୍ଠାନର ତତ୍ପରତା ଏବଂ ଆବଶ୍ୟକତାକୁ ଆଲୋକିତ କରିବା ଦିଗରେ ମିଡିଆର ଏକ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ ।

ଭାରତ ସରକାରଙ୍କ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ପରିବେଶର ଗୁଣବତ୍ତା ଖରାପ ହେବାର ସମସ୍ୟାର ସମାଧାନ ଦିଗରେ ଏକ ପଦକ୍ଷେପ । ସାରା ଦେଶରେ ବାୟୁର ଗୁଣବତ୍ତା ଉନ୍ନତି ପାଇଁ ଏନ୍.ସି.ଏ.ପି ଏକ ସମୟ ସୀମା ଧାର୍ଯ୍ୟ କରିଛି । ଏଥିରେ ଓଡିଶାର ୭ଟି ସହର- ଭୁବନେଶ୍ୱର, କଟକ,ବାଲେଶ୍ଵର, ରାଉରକେଲା, ଅନୁଗୁଳ, ତାଳଚର ଏବଂ କଳିଙ୍ଗ ନଗର ଅନ୍ତର୍ଭୁକ୍ତ ରହିଛି । ୨୦୧୭ ଭଳି ମୂଳ ବର୍ଷ ସହିତ, ଏହି କାର୍ଯ୍ୟକ୍ରମ ୨୦୨୪ ସୁଦ୍ଧା ୨୦% – ୩୦% କଣିକା ପଦାର୍ଥର ହ୍ରାସ ହାସଲ କରିବାକୁ ସ୍ଥିର ହୋଇଛି ।
ସି.ପି.ସି.ବି ତଥ୍ୟ ଅନୁଯାୟୀ, ଓଡିଶାର ୭ଟିସହର ଯାନବାହାନ ଚଳାଚଳ ବୃଦ୍ଧି ହେତୁ ସହରରେ ବାୟୁ ପ୍ରଦୂଷଣ ଏକ ଉଦବେଗଜନକ ଅବସ୍ଥାରେ ଅଛି । ୨୦୧୭ ମସିହାରୁ ଓଡିଶାରେ ବାୟୁ ପ୍ରଦୂଷଣର ହାରାହାରି ସ୍ତରରେ ୬୭% ବୃଦ୍ଧି ଘଟିଛି ଏବଂ ନାଗରିକଙ୍କ ପାଇଁ ବାୟୁକୁ ଅସ୍ୱାସ୍ଥ୍ୟକର ଶ୍ରେଣୀଭୁକ୍ତ କରାଯାଇଛି ।
କାର୍ଯ୍ୟକ୍ରମରେ ସାମ୍ବାଦିକ ସନ୍ଦୀପ ସାହୁ, ଆଶୀର୍ବାଦ ରାହା (ଇ.ପି.ଆଇ.ସି ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ), ଡକ୍ଟର ମମତା ପଣ୍ଡା( HOD ଶିଶୁରୋଗ ଏବଂ ନିଓନାଟୋଲୋଜି, କେୟାର ସୁପର ସ୍ପେସିଆଲିଟି ହସ୍ପିଟାଲ, ଭୁବନେଶ୍ୱର), ଦେବନ୍ଦ୍ର ସୁଆର, (ବ୍ୟୁରୋ ମୁଖ୍ୟ, ପ୍ରମେୟ) ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ