ପୁଣି ଓଡିଶା ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ଗ୍ରସ୍ତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ..

ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୬ ତାରିଖରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଯୋଗଦେବେ ମହାମହିମ । ଏହା ସହ ନେତାଜୀ ମ୍ୟୁଜିୟମ ବୁଲି ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଏହାସହ ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି ।
କଟକ ପରେ ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଞ୍ଚଳ ହୋଇଛି ।
ରାଷ୍ଟ୍ରପତିଙ୍କ ଗ୍ରସ୍ତ ପାଇଁ କଟକ ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏ ନେଇ କଟକ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।