ବାପା ଓ ଭାଇଙ୍କ ଅପରାଧିକ ସାମ୍ରାଜ୍ୟକୁ ଅନୁକରଣ କରିଛି ସୀତାରାମ…

କୋଦଳା : ରେଞ୍ଜର ବଙ୍ଗଳା ସାହି ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଏବଂ ୫ଟି ଅଫୁଟା ବୋମା ଜବତ କରିଛି ପୋଲିସ । ପୂର୍ବରୁ ବହୁ ଅପରାଧିକ ମାମଲାରେ ଜଡିତ ରହିଥିବା ସୂଚନା । ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ବଙ୍ଗଲା ସାହିରେ ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଦଳା ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଉଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ସୀତାରାମ ରାଉଳ ।
ସୂଚନା ଅନୁସାରେ, ସୀତାରାମ କୋଦଳା ରେଞ୍ଜର ବଙ୍ଗଲା ସାହିରେ କ୍ରମାଗତ ୬ ଗୋଟି ବୋମା ସିରିଜ୍ ବିସ୍ଫୋରଣ ଘଟାଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଅଭିଯୁକ୍ତଙ୍କ ବାପା, ଭାଇ ମଧ୍ୟ ଖଲ୍ଲିକୋଟ ଅଞ୍ଚଳରେ ବୋମା ବିସ୍ଫୋରଣ କରିଥିବା ନେଇ ପୂର୍ବରୁ ମାମଲା ରହିଛି । ଏପରିକି ଅଭିଯୁକ୍ତଙ୍କ ନାମରେ ହତ୍ୟା, ବୋମା ବିସ୍ଫୋରଣ, ଚୋରି, ଡକାୟତି ଉଦ୍ୟମ ଭଳି ବହୁ ସଙ୍ଗୀନ ମାମଲା ଖଲ୍ଲିକୋଟ ଥାନାରେ ରହିଥିବା ନେଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ