ପାଣିରେ ଭାସୁଛି ଉତ୍ତର ଭାରତ, କିନ୍ତୁ ନିଶ୍ଚଳ ହୋଇ ଛିଡା ହୋଇଛି ୩୦୦ ବର୍ଷ ପୁରୁଣା ଶୈବ ମନ୍ଦିର…

ନୂଆଦିଲ୍ଲୀ : ପାଣିରେ ଭାସୁଛି ଉତ୍ତର ଭାରତ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକୃତି ତାର କରାଳ ରୂପ ଦେଖାଉଛି । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ହିମାଚଳ ଓ ଉତ୍ତରାଖଣ୍ଡରେ ଭୀଷଣ ବନ୍ୟାରେ ବ୍ରିଜ ଭାସିଯାଇଛି । ଏପରିକି ଘର ମଧ୍ୟ ଭାସିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଡ୍ ଆଲର୍ଟ ଜାରି ହୋଇଛି । ଚମୋଲିରେ କଞ୍ଚନନାଲାଠାରେ ବଦ୍ରୀନାଥ ରାଜପଥ ବନ୍ୟାରେ ଭାସିଯାଇଛି । ଅପରପକ୍ଷେ ମନାଲି-ଲେହ ଏନ୍ଏଚର ଗୋଟିଏ ପାଖ ଭୁଷୁଡି ପଡିବାରୁ ସେଠାକୁ ଯାଇଥିବା ପାଖାପାଖି ୩୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ ।

ବନ୍ୟା ସାଙ୍ଗକୁ ଭୁସ୍ଖଳନ ଦାଉ ସାଜୁଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ବନ୍ୟା ପରିସ୍ଥିତି ଅଣାୟତ କରିଛି । ଲକ୍ଷ ଲକ୍ଷ ଲୋକ ଏବେ ଜଳବନ୍ଦୀ ରହିଥିବାବେଳେ ୨୪ ଘଣ୍ଟାରେ ଆଉ ୪୧ ଜଣ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୭ ଛୁଇଁଥିବାବେଳେ ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।
କିନ୍ତୁ ଏହା ଭିତରେ ସୋସିଆଲ ମିଡ଼ିଆରେ ମଣ୍ଡି ଜିଲ୍ଲାରେ ଥିବା ଐତିହାସିକ ପଞ୍ଚବକତ୍ର ମହାଦେବ ମନ୍ଦିରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଚାରିଆଡେ ପାଣି ଆଉ ମଝିରେ ଛିଡା ହୋଇଛି ମନ୍ଦିର । ଏହି ଘଟଣା ଏବେ ୧୦ ବର୍ଷ ପୂର୍ବର କେଦାରନାଥ ମନ୍ଦିରର କଥା ମନେ ପକାଇଛି । ୧୦ ବର୍ଷ ପୂର୍ବେ ଯେବେ ମନ୍ଦାକିନୀ ନଦୀ ରୌଦ୍ର ରୂପ ଧାରଣା କରିଥିଲା ସେତେବେଳେ ଉତ୍ତରାଖଣ୍ଡରେ ଜଳପ୍ରଳୟ ଆସିଥିଲା । ସେହି ସମୟରେ ଅଟଳ ଭାବେ ଛିଡା ହୋଇ ରହିଥିଲା କେଦାରନାଥ ମନ୍ଦିର ।
ଠିକ୍ ସେହିଭଳି ହିମାଚଳପ୍ରଦେଶର ଆସିଥିବା ଜଳପ୍ରଳୟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବଡ ବଡ କୋଠା, ବ୍ରିଜ ଭୁଶୁଡି ପଡିଥିବା ବେଳେ ପୁରାତନ ପଞ୍ଚବକତ୍ର ମନ୍ଦିର ସେହିଭଳି ଛିଡା ହୋଇଛି । ଏହାକୁ ଲୋକେ ମହାଦେବଙ୍କ କୃପା ବୋଲି କହୁଛନ୍ତି । ଏହି ଐତିହାସିକ ପଞ୍ଚବକତ୍ର ମନ୍ଦିର ୩୦୦ ବର୍ଷ ପୁରୁଣା ମନ୍ଦିର । ଏହାକୁ ତତ୍କାଳୀନ ରାଜା ସିଦ୍ଧ ସେନ୍ ନିର୍ମାଣ କରିଥିଲେ । ଏହି ମନ୍ଦିରରେ ପଞ୍ଚମୁଖୀ ଶିବଙ୍କ ପ୍ରତିମା ପୂଜା ପାଉଥିବା କାରଣରୁ ଏହା ପଞ୍ଚବକତ୍ର ମନ୍ଦିର ନାମରେ ନାମିତ ।