ମା’ ଶାରଳାଙ୍କ ମନ୍ଦିରରେ ଜାରି ହେଲା ନୂଆ ନିୟମ…

ଜଗତସିଂହପୁର : ପ୍ରସିଦ୍ଧ ଝଙ୍କଡ଼ ମା’ ଶାରଳାଙ୍କ ମନ୍ଦିରରେ ଜାରି ହୋଇଛି କେତେକ ନୂଆ ନିୟମ । ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି ।
ନିୟମ ଗୁଡିକ ହେଲା:-
* ମା’ ଶାରଳାଙ୍କ ମନ୍ଦିରକୁ ମୋବାଇଲ ନିଷେଧ
* ମନ୍ଦିରରେ ମାଆଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧ
* ବେଢା ମଧ୍ୟରେ ଫଟୋ ଉଠାଇଲେ ଜରିମାନା ଲାଗୁ
* ମନ୍ଦିର ମଧ୍ୟକୁ ପଲିଥିନ ମନା
* ଅବିବାହିତ ସେବକ ବା ଯେଉଁମାନେ ବ୍ରତ ହୋଇନାହାନ୍ତି ସେମାନଙ୍କୁ ଗର୍ଭ ଗୃହ ପ୍ରବେଶ ଉପରେ କଟକଣା
* ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ମଧ୍ୟ ନିଷେଧ
* ଯାତ୍ରୀଙ୍କୁ ଘର ପଚାରି ବିରକ୍ତ କଲେ କିମ୍ବା ଜୁଲମ କରି ଅର୍ଥ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି
* ମନ୍ଦିର ମଧ୍ୟରେ ପାନପିକ ଓ ଅଳିଆ ଅବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ନ ପକାଇଲେ ଦଣ୍ଡବିଧିର ବ୍ୟବସ୍ଥା

ଜିଲ୍ଲା ପ୍ରଶାସନ ପକ୍ଷରୁ ମାଆ ଶାରଳାଙ୍କ ମନ୍ଦିରରେ ଜାରି କରାଯାଇଥିବା ନିୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ କିଛି ସେବାୟତଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହି ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ସେବାୟତମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ଟି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି କୋର କମିଟି ।

ଏହି କମିଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ତିର୍ତ୍ତୋଲ ତହସିଲଦାର, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିବା ଜଣାପଡିଛି । ଏହା ସହିତ ମାଆଙ୍କ ନୀତିକାନ୍ତି ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ପଣ୍ଡା ସେବକ ମାନେ ଭକ୍ତ, ଯାତ୍ରୀ ଓ ମନ୍ଦିର କର୍ମଚାରୀଙ୍କୁ ଖରାପ ବ୍ୟବହାର କଲେ ପୋଲିସକୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ