ତାଳଶିଳ୍ପ ଖୋଜୁଛି ତାର ପରିଚୟ…

ନୂଆ ଶିଳ୍ପ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା ଅର୍ଥ । ମାତ୍ର ପୁରୁଣା ଶିଳ୍ପକୁ କରାଯାଉଛି ହତାଦାର । ଦିନେ ମିଲେଟ୍ ଶସ୍ତା ଖାଦ୍ୟ ସାରଣୀରେ ସ୍ଥାନିତ ଥିଲା । ହେଲେ ତାହା ଆଜି ପଞ୍ଚତାରକା ହୋଟେଲର ସମ୍ମାନ ବୃଦ୍ଧି କରିଛି । ତାଳଗୁଡ ଏବଂ ତାଳ ଶିଳ୍ପର ଚାହିଦା ବାହାରେ ଦେଶରେ ଅନେକ । ହେଲେ ଆମ ରାଜ୍ୟ ତାଳଶିଳ୍ପ କ୍ଷେତ୍ରରେ ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସତ୍ତ୍ବେ ଅବହେଳିତ ।
ସାଲେପୁର : ଦିନ ଥିଲା ଲୋକଙ୍କୁ ରୋଜଗାର ଦେଇ ଆତ୍ମନିର୍ଭରଶୀଳ କରାଇଥିଲା କଟକ ଜିଲ୍ଲା ସାଲେପୁର ବ୍ଲକ ବହୁଗ୍ରାମ ତାଳଗୁଡ଼ ଓ ତାଳଶିଳ୍ପ ସଂସ୍ଥା । ହେଲେ ଆଜି ଏହି ସଂସ୍ଥା ରୁଗ୍ଣ ଅବସ୍ଥାରେ । ଯେଉଁ ସଂସ୍ଥା ଦିନେ ହଜାର ହଜାର ଲୋକଙ୍କର ବଞ୍ଚିବାର ସାହାରା ଥିଲା, ଆଜି ସେହି ସଂସ୍ଥା ଅବହେଳିତ । ଏଥିପାଇଁ ଦାୟୀ କିଏ ? ଦୋଷ ନେବ କିଏ ? ପ୍ରଶାସନର କୋହଳ ମନୋଭାବ ଏବଂ ସଂସ୍ଥା ପ୍ରତି ଜଡିତ ଲୋକଙ୍କ ଭାବାବେଗର ଅଭାବ ଆଜି ସଂସ୍ଥାକୁ ରସାତଳଗାମୀ କରିଛି ।

ତାଳଗୁଡ ହେଉଛି ଦେଶର ସର୍ବପୁରାତନ ପାରମ୍ପରିକ ଗ୍ରାମ୍ୟ ଶିଳ୍ପ । ଗ୍ରାମଞ୍ଚଳ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ଏହା ଥିଲେ ଅମୋଘ ଅସ୍ତ୍ର । ଯେତେବେଳେ ଇଂରେଜ ସରକାରଙ୍କ କବଳରୁ ମୁକ୍ତି ପାଇଁ ଲଢେଇ କରୁଥିଲେ ସ୍ଵାଧୀନତା ସଂଗ୍ରାମୀ, ସେହି ସମୟରେ ବହୁ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ଉତ୍କଳ ଗୌରବ ମଧୁବାବୁଙ୍କ ଗ୍ରାମ ବହୁଗ୍ରାମରେ ଗଢି ଉଠିଥିଲା ଏହି ଶିଳ୍ପାନୁଷ୍ଠାନ । ଗ୍ରାମ୍ୟ ସ୍ବରାଜର ବାର୍ତ୍ତା ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବରୋଜଗାରକ୍ଷମ କରାଇବା ପାଇଁ ସହୀଦ ସ୍ଵାଧୀନତା ସଂଗ୍ରାମୀ ନିରଞ୍ଜନ ଘୋଷଙ୍କ ସ୍ମୃତିରେ ନାମିତ ହୋଇଥିଲା ଏହି ଶିଳ୍ପ ।

ଓଡ଼ିଶାର ପ୍ରଥମ ତାଳଗୁଡ଼ ଶିଳ୍ପାନୁଷ୍ଠାନ ହେଉଛି ସହିଦ ନିରଞ୍ଜନ ତାଳଶିଳ୍ପ ପ୍ରତିଷ୍ଠାନ । ୧୯ବର୍ଷ ବୟସରେ ସ୍ଵାଧୀନତା ସଂଗ୍ରାମୀ ସହୀଦ ନିରଞ୍ଜନ ଘୋଷଙ୍କୁ ବ୍ରିଟିଶ ସରକାର ବନ୍ଦୀ କରି କଲିକତାର ଆଲିପୂର୍ ଜେଲରେ ଅକଥନୀୟ ନିର୍ଯାତନା ଦେଇ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ନୀଳକଣ୍ଠ ଦାସ ଓ ଡ଼ଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ସ୍ଥାନୀୟ ଲୋକଙ୍କୁ ସ୍ବରୋଜଗାରକ୍ଷମ କରାଇବା ପାଇଁ ଏହି ଅଞ୍ଚଳରେ ତାଳଗୁଡ଼ ଓ ଖଜୁରୀ ଗୁଡ଼ର ଶିଳ୍ପ ଅନୁଷ୍ଠାନ ଖୋଲାଯାଇଥିଲା । ଯାହାକି ମାଳତୀ ଚୌଧୁରୀଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା । ଏଠାରେ ତାଳ ଓ ନଡ଼ିଆରୁ ପ୍ରସ୍ତୁତ ଗୁଡ଼ ଏବଂ ନଡ଼ିଆ ଓ ଖଜୁରୀ ଚକୋଲେଟର ଚାହିଦା ଆଜି ବି ନିଆରା । ମାତ୍ର ସେହି ତାଳଗୁଡ଼ ପ୍ରତିଷ୍ଠାନ ଆଜି ନିଶ୍ଵ ଓ ନିଷ୍କ୍ରିୟ ।

ଆମ ରାଜ୍ୟରେ ତାଳଗୁଡ ଶିଳ୍ପକୁ ଏକ କ୍ଷୁଦ୍ର ଶିଳ୍ପ ଭାବେ ଗ୍ରହଣ କରାଯାଇଛି । ଏହାର ବିକାଶ ଲାଗି ରାଜ୍ୟ ସରକାର ୧୯୫୯ ମସିହାରୁ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ନାମରେ ଏକ ସମବାୟ ଅନୁଷ୍ଠାନ ଗଠନ କରିଛନ୍ତି । ଏହା ସଂଘର ପ୍ରାଥମିକ ସଦସ୍ୟଙ୍କୁ ତାଲିମ ଦେବା ସହ ଆବଶ୍ୟକୀୟ ଉପକରଣ ଏବଂ ଋଣ ଯୋଗାଇଥାଏ । ରାଜ୍ୟ ସଂଘ ଅଧୀନରେ କଟକ ଜିଲ୍ଲାର ବହୁଗ୍ରାମ, ପୁରୀ ଜିଲ୍ଲାର ପାରିକୁଦ, ଗଜପତି ଜିଲ୍ଲାର ଛେଳିଗଡ ଓ ଢେଙ୍କାନାଳ ଜିଲ୍ଲାର ପୋଡାପଡାରେ ୪ଟି ତାଳ ଶିଳ୍ପ ପୁଞ୍ଜ କାର୍ଯ୍ୟ କରୁଛି ।

ସମଗ୍ର ଭାରତବର୍ଷରେ ତାମିଲନାଡୁ ତାଳଶିଳ୍ପ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ତା ପଛକୁ ରହିଛି ଆମ ରାଜ୍ୟ ଓଡିଶା । ଏକ ସର୍ବକ୍ଷେଣରୁ ଜଣାପଡିଛି ଗୋଟିଏ ତାଳ ଗଛ ବାର୍ଷିକ ପ୍ରାୟ ୬୦୦ ଟଙ୍କାର ତାଳଜାତୀୟ ସାମଗ୍ରୀ ଯୋଗାଇଥାଏ । ଏହା ସହ ଖଜୁରୀ ଗଛ ବା ସଳପ ଗଛ ପ୍ରାୟ ୪୦୦ ଟଙ୍କାର ତାଳଜାତୀୟ ସାମଗ୍ରୀ ଯୋଗାଇଥାଏ । ପରିସଂଖ୍ୟାନ ଅନୁଯାୟୀ, ଆମ ରାଜ୍ୟରେ ପ୍ରାୟ ୨୨ ଲକ୍ଷ ତାଳଗଛ, ୧୦ ଲକ୍ଷ ଖଜୁରୀ ଗଛ ଏବଂ ୧ ଲକ୍ଷ ସଳପ ଗଛ ରହିଛି । ସେଥିମଧ୍ୟରୁ ଆମେ ମାତ୍ର ୨୦ ପ୍ରତିଶତ ଗଛ ଶିଳ୍ପ ପାଇଁ ବ୍ୟବହାର କରୁଛନ୍ତି । ଯଦି ଆମ ରାଜ୍ୟରେ ଏ ସମସ୍ତ ତାଳଜାତୀୟ ଗଛକୁ ଉପଯୋଗ କରିହେବ ତେବେ ଏତଦ୍ ଦ୍ବାରା ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କର୍ମସଂସ୍ଥାନ ପାଇପାରିବେ ।

ସାଲେପୁର ବ୍ଲକ ବହୁଗ୍ରାମ ତାଳଗୁଡ଼ ଓ ତାଳଶିଳ୍ପ ସଂସ୍ଥାର କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବାପରେ ଏହା ଏବେ ଅବହେଳିତ ହୋଇପଡି ରହିଛି । ବର୍ତ୍ତମାନ ସମୟରେ ତାଳଗୁଡ଼, ଖଡ଼ିକା ବ୍ରଶ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାର ପରିମାଣ ଖୁବ୍ କମ୍ ହେବା କାରଣରୁ ସ୍ଥାନୀୟ ଲୋକେ ଏଥିରୁ ଉପକୃତ ହୋଇ ପାରୁନାହାନ୍ତି । ଦିନେ ବୃଦ୍ଧ, ଅସହାୟ ମହିଳା ତଥା ବେକାରୀ ଯୁବକ-ଯୁବତୀଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରାଉଥିବା ଏହି ପ୍ରତିଷ୍ଠାନ ଆଜି ନିଜର ପରିଚୟ ପାଇଁ ଗୁହାରୀ କରୁଛି ।

ଏ ନେଇ ଉତ୍କଳ ଗୌରବ ନାଗରିକ ମଞ୍ଚର ସଭାପତି ସୁରେନ୍ଦ୍ର ମହାରଣା ବହୁଗ୍ରାମ ତାଳଗୁଡ଼ ଓ ତାଳଶିଳ୍ପ ସଂସ୍ଥାର ଅବହେଳିତ ରୂପକୁ ନେଇ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, “ଯେଉଁ ସଂସ୍ଥା ଦିନେ ସ୍ବରାଜର ଗାରିମା ବଖାଣୁଥିଲା ତାହା ଆଜି ଅବହେଳିତ ।” ଏଥିପାଇଁ ସେ ସରକାରଙ୍କ ଉଦାସୀନ ମନୋଭାବକୁ ଦୃଢ ନିନ୍ଦା କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଗ୍ରାମ୍ୟ ଶିଳ୍ପର ପ୍ରସାର ଏବଂ ଅଭିବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୋତ୍ସାହନର ଆବଶ୍ୟକତା ରହିଛି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା