ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା । ମହାଦୁର୍ନୀତିର ପର୍ଦ୍ଦାଫାଶ୍ କେବେ ?

ହିନ୍ଦୋଳ : ପୁଣି ସାମ୍ନାକୁ ଆସିଲା ମନରେଗା ମହାଦୁର୍ନୀତି ଅଭିଯୋଗ । ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମ ପଞ୍ଚାୟତରେ ବଡ଼ ଘୋଟାଲା । ସରପଞ୍ଚ, ନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା । ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା ।
ବିଭିନ୍ନ ପଞ୍ଚାୟତର ମନରେଗା ଯୋଜନାରେ ହେଉଥିବା ଘୋଟାଲାର ଦୃଶ୍ୟ ନୂଆଁ ନୂହେଁ । ତେବେ ସେହିଭଳି ଏକ ମହାଦୁର୍ନୀତିର ଖବର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଅସରଡା ଗ୍ରାମ ପଞ୍ଚାୟତରେ । ଅସରଡା ପଞ୍ଚାୟତର ବାରଶିଙ୍ଘା ଗ୍ରାମରେ ନୟନ ନାଏକଙ୍କ ଜମି ଉପରେ ଖୋଦ୍ ସରପଞ୍ଚଙ୍କ ସ୍ଵାମୀ ଏବଂ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ଏକ ମାଟି ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

ଜମିର ଖାତା ନମ୍ବର ୩୮୫ ଏବଂ ପ୍ଳଟ ନମ୍ବର ୪୩୮ ବୋଲି ସରକାରୀ ଦସ୍ତାବିଜରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଜମିର ମାଲିକ ଲିଜରେ ପାଇଥିବା ଏହି ଜମି ଉପରେ କାଜୁ, ମହୁଲ ଏବଂ ଅନେକ ମୂଲ୍ୟବାନ ଗଛ ଲଗାଇଥିଲେ । ତେବେ ଜମି ମାଲିକଙ୍କ ଅଗୋଚରରେ ୬ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ଅଟକଳ କରି ସରପଞ୍ଚଙ୍କ ସ୍ଵାମୀ ଏବଂ ନିର୍ବାହୀ ଅଧିକାରୀ ସୁଶୀଲ କୁମାର ଜେନା ମନରେଗା ଯୋଜନାରେ ଏକ ମାଟି ରାସ୍ତା ଓ ଡ୍ରେନ୍ ନିର୍ମାଣ କରିଛନ୍ତି । ଘଟଣା ବାବଦରେ ଜାଣିବା ପରେ ମୃତ ଜମି ମାଲିକଙ୍କ ପୁଅ ଏ ନେଇ ବିଡିଓ, ତହସିଲଦାର, ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଫେରାଦ୍ ହୋଇଥିଲେ । ହେଲେ ସର୍ବପରି ତାଙ୍କ ଗୁହାରୀର କିଛି ସୁଫଳ ମିଳିଲା ନାହିଁ । ଓଲଟି ସରପଞ୍ଚଙ୍କ ସ୍ଵାମୀ ଜମି ମାଲିକଙ୍କ ପୁଅଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଯାହା କରୁଛୁ କର ବୋଲି ଧମକ ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସେ ଏବେ କୋର୍ଟର ଆଶ୍ରୟ ନେବା ପରେ ରାସ୍ତା ଏବଂ ଡ୍ରେନ୍ କାମ ଅଧାରୁ ବନ୍ଦ ରହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହାରି ଭିତରେ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ପ୍ରାୟ ୩ ଲକ୍ଷ ଟଙ୍କା ବିଲ୍ ମଧ୍ୟ ହୋଇ ସାରିଛି । ରାଜସ୍ଵ ନିରୀକ୍ଷକଙ୍କ କ୍ଲିଅରାନ୍ସ ପ୍ରମାଣପତ୍ର ବିନା କେଉଁଭଳି ଭାବେ ନିର୍ବାହୀ ଅଧିକାରୀ ଏହି କାମ ପାଇଁ ଫାଇଲ ପ୍ରସ୍ତୁତି କଲେ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏପରକି କିଛି ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ହେବା ପରେ କାର୍ଯ୍ୟର ନାମଫଳକକୁ ମଧ୍ୟ ଭାଙ୍ଗି ଦିଆଯିବା ଘଟଣା ସନ୍ଦେହକୁ ଆହୁରି ଦୃଢୀଭୂତ କରିଛି । ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶୀଲ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯାହା କାର୍ଯ୍ୟ ହୋଇଛି ସରକାରୀ ଜମି ଉପରେ ହିଁ ହୋଇଛି ଅଭିଯୋଗ ଭିତ୍ତିହୀନ ।
ଏପଟେ ଯଥାଶୀଘ୍ର ଏହାର ତଦନ୍ତ କରାଯାଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ । ତେବେ ଦେଖିବାକୁ ବାକି ରହିଲା ଏଭଳି ଦୁର୍ନୀତିଖୋର ଅଧିକାରୀ ଓ କର୍ମଚରୀଙ୍କ ଉପରେ 5T ଛାଟ କେବେ ପଡୁଛି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହରା, ହିନ୍ଦୋଳରୁ ସନାତନ ନାଥ