ବେଳାଭୂମିରେ ଖୋଲମଖୁଲା ଦେହ ବ୍ୟବସାୟ ଘଟଣା । ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ…

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଖୋଲମଖୁଲା ଦେହ ବ୍ୟବସାୟ ଘଟଣା ବାବଦରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ବର ଜିଲ୍ଲା ପ୍ରଶାସନ ଏବଂ ଏସପିଙ୍କ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବେଳାଭୂମିରୁ ଦେହଜିବୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଘରକୁ ଉଚ୍ଛେଦ କରାଯାଇଛି । ଏହାସହ ବେଳାଭୂମିରୁ ବେଆଇନ ନିଶାକାରବାରକୁ ମଧ୍ୟ ବନ୍ଦ କରାଯାଇଛି ।
ଉଚ୍ଛେଦ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଳାଭୂମିରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଭାବରେ ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ, ଜଳେଶ୍ବର ଏସଡିପିଓ, ଅବକାରୀ ବିଭାଗର ଅଧିକାରୀ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ତାଳସାରୀ ମେରାଇନ ଥାନା ପୋଲିସ, ଭୋଗରାଇ ଥାନା ପୋଲିସଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଅପରପକ୍ଷେ ଆଗାମୀ ଦିନରେ ଏହି ବେଆଇନ ଏବଂ ଅସାମାଜିକ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସଡିପିଓ ଏବଂ ଭୋଗରାଇ ତହସିଲଦାର ସୂଚନା ଦେଇଛନ୍ତି ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ