ପ୍ରଶାସନର ଲୋକଦେଖାଣିଆ ତତ୍ପରତାକୁ ନେଇ ପ୍ରଶ୍ନ… ଦୋଷୀକୁ ଛାଡି ସାଧାରଣ ଲୋକଙ୍କ ପଛରେ ପ୍ରଶାସନ…

ବେଗୁନିଆପଡା : ଇଟା ଭାଟି କରୁଛି କିଏ ଆଉ ଏହାର ଭରଣା ସହୁଛି କିଏ ? ଧନ୍ୟ ଆମ ପ୍ରଶାସନିକ ବ୍ୟବସ୍ଥା । ବେଆଇନ ଇଟା ଭାଟି କରିଥିବା ଲୋକଙ୍କ ପ୍ରତି ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି । ଆଉ ଚେକିଂ ଆଳରେ ଧରୁଛି ସାଧାରଣ ଲୋକଙ୍କୁ । ଘର ତିଆରି ପାଇଁ ରଖାଯାଇଥିବା ଇଟାର ରୟାଲଟି ଚେକ୍ କରି ବାଃ ବାଃ ନେବା ପାଇଁ ତତ୍ପର କୋଦଳା ତହସିଲଦାର । ପ୍ରକୃତ ଦୋଷୀ ପଛେ ଚୁଲିକି ଯାଉ, ପ୍ରଶାସନ କିନ୍ତୁ ଲୋକଦେଖାଣିଆ କଥା ସମ୍ଭାଳୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଶାଳବଣ ଗ୍ରାମରେ ।

ସୂଚନା ଅନୁସାରେ, ଶାଳବଣ ଗ୍ରାମର ସନ୍ତୋଷ ବିଶୋଇ ନିଜ ଘର କାମ କରିବା ପାଇଁ ଇଟା ଆଣିଥିଲେ । ଏ ନେଇ ଷଣ୍ଢମୁଳ ଆରଆଇ ଶେଖର ଚନ୍ଦ୍ର ସେଠୀ ସେଠାକୁ ଯାଇ ଇଟା କେଉଁଠାରୁ ଆଣିଛ ତାର ରୟାଲଟି ଫର୍ମ ଦେଖାଅ ବୋଲି କହିଥିଲେ । ଏଠି ଆମର ପ୍ରଶ୍ନ ଘର ତିଆରି ପାଇଁ ଯଦି ସାଧାରଣ ଲୋକ ଇଟା କିଣିଛନ୍ତି, ତେବେ ସେ କେମିତି ଜାଣିବେ ଇଟା ପ୍ରସ୍ତୁତ କରୁଥିବା କମ୍ପାନୀ ପାଖରେ ସରକାରୀ ପରମିଟ୍ ଅଛି ନା ନାହିଁ ? କାରଣ ସେହି ଇଟା ଭାଟି ଗଢି ଉଠିଥିବା ଅଞ୍ଚଳରେ ତାକୁ ବନ୍ଦ କରିବାକୁ ପ୍ରଶାସନ ତ କେବେ ତତ୍ପରତା ଦେଖାଇ ନାହିଁ ।
ଅପରପକ୍ଷେ ଏ ନେଇ ଆରଆଇ ମହୋଦୟ କେଉଁଠୁ ଇଟା ଆସିଲା ତାହାର ତନାଘନା ନ କରି ନିଜ ଦୋଷ ତୁଟାଇବାକୁ ଯାଇ କୋଦଳା ତହସିଲଦାରଙ୍କୁ ଖବର ଦେଇଥିଲେ । ଆଉ କୋଦଳା ତହସିଲଦାର ସସ୍ମିତା ଶତପଥୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରୟାଲଟି ଫର୍ମ ଦିଅ ନଚେତ ଇଟା ଉଠେଇ ନେଇଯିବି ବୋଲି ଧମକ ଦେଇଥିଲେ । ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଧମକ ଶୁଣି ଗ୍ରାମବାସୀ ଉତ୍ତ୍ୟକ୍ତ ହେବା ସହ ତହସିଲଦାରଙ୍କୁ ଘେରିଥିଲେ । ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ଦିନ ଷଣ୍ଢମୁଳ ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟରେ ଗ୍ରାମ୍ୟ କମିଟି ଓ ତହସିଲଦାର ଏକତ୍ର ବସି ଏହାର ସମାଧାନ କରାଯିବା ପାଇଁ ନିଷ୍ପତି ହେବାପରେ ଘଟଣା ଶାନ୍ତ ହୋଇଥିଲା ।
ଉକ୍ତ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି ଓ ପଥର ଖାଦାନ ଚୋରାରେ ଚାଲିଥିବାବେଳେ ତହସିଲଦାର ସେସବୁ ପ୍ରତି ଧ୍ୟାନ ନ ଦେଇ ସାଧାରଣ ଜନତାଙ୍କୁ ଏଭଳି ଧମକ ଦେବା ଘଟଣା ଏବେ ପ୍ରଶାସନ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଧରୁଛି ନା ବେଆଇନ ଚୋରା ଚାଲାଣକୁ ଲୋକଦେଖାଣିଆ ପଦକ୍ଷେପ ନେବା ଆଳରେ ପ୍ରଶ୍ରୟ ଦେଉଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ