ତୃତୀୟ ନକ୍ସରେ ଉପକୂଳ ରାଜପଥ ନିର୍ମାଣ ପାଇଁ ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଦାବି

ଜଗତସିଂହପୁର : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା ଉପକୂଳ ଜାତୀୟ ରାଜପଥର ତୃତୀୟ ନକ୍ସା ସପକ୍ଷରେ ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆମ୍ବଶାଳ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବାଲିକୁଦା ବ୍ଲକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ପରିବର୍ତ୍ତେ ସମଗ୍ର ବାଲିକୁଦା ଅଂଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତୃତୀୟ ନକ୍ସାରେ ଉପକୂଳ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବାଲିକୁଦା ବିକାଶ ପରିଷଦ ଦାବି କରିଛନ୍ତି । ଖୁବ ଶୀଘ୍ର ତୃତୀୟ ନକ୍ସାକୁ ଟେଣ୍ଡର ଲାଗି ସରକାର ପଦକ୍ଷେପ ନେବାକୁ ପରିଷଦ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି । ତେବେ ତୃତୀୟ ନକ୍ସାକୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜପଥକୁ ୪ଟି ପ୍ୟାକେଜରେ ବିଭକ୍ତ କରାଯାଇଛି ।
ତୃତୀୟ ପ୍ୟାକେଜର ୪୨ କିଲୋମିଟର ରାସ୍ତା କାକଟପୁରରୁ ନାଉଗାଁ ମଧ୍ୟ ଦେଇ ବାଲିକୁଦା ବ୍ଳକ ଆମ୍ବଶାଳ, ଅଢ଼ଙ୍ଗା, ବଡ଼ଗାଁ, ବୋରିକିନା ଓ ତିତିରା ଗ୍ରାମ ଦେଇ ଏରସମା ରାସ୍ତାକୁ ସଂଲଗ୍ନ ହେଉଛି । ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତୃତୀୟ ପ୍ୟାକେଜକୁ ବିରୋଧ କରୁଥିବା ବେଳେ ବାଲିକୁଦା ବିକାଶ ପରିଷଦ ଏହାକୁ ସମର୍ଥନ କରିବା ସହିତ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ