ପୁଣି ଚମକିଲେ ନୀରଜ, ହାତେଇଲେ ଲାଉସେନ ଡାଇମଣ୍ଡ ଲିଗ୍ ଟାଇଟଲ…

ନୂଆଦିଲ୍ଲୀ : ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ଡାଇମଣ୍ତ ଲିଗ୍ ଟାଇଟଲ ଜିତିଛନ୍ତି । ଜୁନ ୩୦ ଡାଇମଣ୍ଡ ଲିଗ୍ ୨୦୨୩ରେ ୮୭.୬୬ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏପରି ସଫଳତା ହାସଲ କରିଛନ୍ତି ନୀରଜ । ଗତବର୍ଷ ଅଗଷ୍ଟରେ ହୋଇଥିବା ଲାଉସେନ ଡାଇମଣ୍ଡ ଲିଗ୍ ଟାଇଟଲ ମଧ୍ୟ ଜିତିଥିଲେ ନୀରଜ । ଆହତ ସମସ୍ୟା ଯୋଗୁଁ ମାସେ କାଳ ପଡ଼ିଆରୁ ଦୂରରେ ଥିବା ନୀରଜ ଲାଉସେନ ଡାଇମଣ୍ଡକୁ କମବ୍ୟାକ୍ କରିଥିଲେ ।
ଲାଉସେନ ଡାଇମଣ୍ଡ ଲିଗରେ, ନୀରଜ ଚୋପ୍ରା ତାଙ୍କର ପ୍ରଥମ ପ୍ରୟାସକୁ ଖଣ୍ଡନ କରିବା ପରେ ଦ୍ୱିତୀୟ ଏବଂ ତୃତୀୟ ପ୍ରୟାସରେ ଚମତ୍କାର ଭାବରେ ଫେରିଛନ୍ତି । ନୀରଜଙ୍କ ଦ୍ୱିତୀୟ ଥ୍ରୋ ୮୩.୫୨ ମିଟର ଓ ତୃତୀୟ ଥ୍ରୋରେ ୮୫.୦୪ ମିଟର ଦୂରତାକୁ ଫିଙ୍ଗିଥିଲେ । ତେବେ ତୃତୀୟ ଥ୍ରୋ ପରେ ଜର୍ମାନୀର ଜୁଲିୟନ ୱେବର ୮୬.୨୦ ମିଟର ଥ୍ରୋ ସହିତ ଟେବୁଲରେ ପ୍ରଥମ ସ୍ଥାନରେ ଥିଲେ । ନୀରଜଙ୍କ ଚତୁର୍ଥ ଉଦ୍ୟମ ମଧ୍ୟ ଫାଉଲ ହୋଇଥିଲା । ତେବେ ପଞ୍ଚମ ଉଦ୍ୟମରେ ହିଁ ସେ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ନୀରଜ ନିଜର ଅଭିଯାନ ଫାଉଲରୁ ଆରମ୍ଭ କରିଥିଲେ । ଆଉ ଶେଷରେ ୮୭.୬୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସେ ପ୍ରଥମ ସ୍ଥାନକୁ ନିଶ୍ଚିତ କରିଥିଲେ । ୬ଷ୍ଠ ଉଦ୍ୟମରେ ସେ ୮୪.୧୫ ମିଟର ଦୂରତାକୁ ଜାଭେଲିନ ପକାଇଥିଲେ ।
ଏହି ଅବସରରେ ଜର୍ମାନୀର ଜୁଲିୟନ ୱେବର ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନ ଓ ଚେକ ଗଣରାଜ୍ୟର ଜାକୁବ ଭାଡେଜଚ ୮୬.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।