କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଲାଗି ଖର୍ଚ୍ଚ ହେବ ୬୭.୩୭ କୋଟି ଟଙ୍କା

ଭୁବନେଶ୍ଵର : ରାଜ୍ୟରେ କୃଷି ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଉଦ୍ଦେଶ୍ୟ ନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଏବଂ ଓମ୍ବାଡସିର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଓମ୍ବାଡସି ଓଭରସାଇଟ୍ ଅଥରିଟି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ଠାରେ ପ୍ରଥମ ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ରର ପ୍ରତିଷ୍ଠା ହେବାକୁ ଯାଉଛି । ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଜଷ୍ଟିସ ପଟ୍ଟନାୟକ ସମୀକ୍ଷା ବୈଠକ ବେଳେ ପରାମର୍ଶ ଦେଇଛନ୍ତି । ଏ ନେଇ ବୁଧବାର ଭୁବନେଶ୍ଵରଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଓମ୍ବାଡସି ସହାୟତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ଓମ୍ବାଡସି ସହାୟତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଚାଲିଥିବା ରାଜ୍ୟର ୮ଟି ଜିଲ୍ଲାରେ ଥିବା ରିଜିଓନାଲ୍ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନରେ (ଆରଆରଟିଟିଏସ୍) ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯିବ । ଏହି କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୬୭.୩୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆୟୋଜିତ ବୈଠକରେ ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନତ ମିଶ୍ର ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ କୃଷି ଉଦ୍ୟୋଗର ସୃଷ୍ଟି ପାଇଁ କୃଷକ ଓ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି । ଏହା ସହିତ ପ୍ରକଳ୍ପ ନିର୍ମାଣ ଲାଗି ଡିଜାଇନ୍ ଚୂଡ଼ାନ୍ତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଲାଗୁ କରିବା ପାଇଁ ଆବଶ୍ୟକ ସହଯୋଗୀ ସଂସ୍ଥାଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଛି । ସେହିପରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମୀଣ ଯୁବଚାଷୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ବର୍ଷିକିଆ କୃଷି ଉଦ୍ୟୋଗୀ ପାଠ୍ୟକ୍ରମ ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଯାଉଛି । ଏହି ପାଠ୍ୟକ୍ରମରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ପାଳନ ଓ ମତ୍ସ୍ୟପାଳନ ଆଦି ବିଷୟକୁ ସାମିଲ କରାଯାଇଛି ।
କୃଷି ଉଦ୍ୟୋଗ ବିକାଶ ଓ ପରିଚାଳନା ବାବଦରେ ଅଧିକ ଜ୍ଞାନ ଆହରଣ ପାଇଁ ଓୟୁଏଟିର ବୈଜ୍ଞାନିକ ଓ ଅଧିକାରୀମାନେ ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଚାଲିଥିବା ଇନକ୍ୟୁବେସନ ମଡେଲ ଅନୁଧ୍ୟାନ କରିବାକୁ ଓଭରସାଇଟ୍ ଅଥରିଟି ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ହେବାକୁ ଥିବା ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ରରେ ତା’ର ପ୍ରୟୋଗ କରିବାକୁ ଜଷ୍ଟିସ ପଟ୍ଟନାୟକ କହିଛନ୍ତି । ସେହିପରି କୃଷି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପଶ୍ଚିମବଙ୍ଗ ଓ କେରଳ ଭଳି ରାଜ୍ୟ ପରିଦର୍ଶନ କରିବା ପାଇଁ ସେ ଓୟୁଏଟି ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଓମ୍ବାଡସି ସିଇଓ ଜି ରାଜେଶ, ଓୟୁଏଟି କୁଳପତି ପ୍ରଫେସର ପିକେ ରାଉଳ, ଏକ୍ସଟେନ୍ସନ ଏଜୁକେସନର ଡିନ୍ ଡକ୍ଟର ପ୍ରସନଜିତ୍ ମିଶ୍ର, ଓମ୍ବାଡସି ଓଭରସାଇଟ୍ ଅଥରିଟିଙ୍କ ଓଏସଡି ଶେଖ ନଇମୁଦ୍ଦିନ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର ଜୟନ୍ତ କୁମାର ଦାସ ଓ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।