ଆଜି ରସଗୋଲା ଦିବସ । କ୍ଷୀରମୋହନରୁ ଅପଭ୍ରଂଶ ହୋଇ ହୋଇଛି ରସଗୋଲା

ପୁରୀ : ନୀଳାଦ୍ରି ବିଜେବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ଆଉ ଏହି ଦିନକୁ ଓଡିଆମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ କାଳିଆ ସାଆନ୍ତ । ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତି ।
ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି । ବାଲୁକା କଳା ମାଧ୍ୟମରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ । ବାଲିରେ ମାଆ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଗଢ଼ିବା ସହ ଶ୍ରୀଜଗନ୍ନାଥ କିଭଳି ମାଆ ଲକ୍ଷ୍ମୀଙ୍କୁ ରସଗୋଲା ପ୍ରଦାନ କରୁଛନ୍ତି ତାହା ମଧ୍ୟ ଦେଖାଇଛନ୍ତି ।
ଏହି ରସଗୋଲା ଭୋଗର ପରମ୍ପରା ବହୁ ପୁରୁଣା । ଏହାର ଅନ୍ୟନାମ ହେଉଛି କ୍ଷୀରମୋହନ । କାଳକ୍ରମେ ଅପଭ୍ରଂଶ ହୋଇ ଏହା ରସଗୋଲାରେ ନାମିତ ହେଇଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ବେଳେ ରଥଉପରେ ରସଗୋଲା ଭୋଗ ଲାଗି ହୁଏ । ଏଥିପାଇଁ ସ୍ୱତନ୍ତ୍ର ବେହେରା ପରିବାର ରଥ ସମୟରେ ସ୍ୱତନ୍ତ୍ର ରସଗୋଲା ପ୍ରସ୍ତୁତ କରିଥାନ୍ତି । ଏହି ପରମ୍ପରା ୩୦୦ ବର୍ଷ ତଳର ବୋଲି ପ୍ରମାଣ ମିଳେ ।
୨୦୧୫ ମସିହାରେ (ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆର ପ୍ରଭାବରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା ।