ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା…

ମଣିପୁର : ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା । ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ନିଷ୍ପତ୍ତି ନେଇଥିଲେ ଯେ ସେ ଇମ୍ଫାଲ ସ୍ଥିତ ରାଜଭବନ ଯାଇ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ସାକ୍ଷାତ କରିବେ । ଏହା ସାକ୍ଷାତ ସମୟରେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ହେଲେ ତାଙ୍କ ଘର ବାହାରେ ମହିଳା ଓ ସମର୍ଥକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା । ସେମାନେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ବିରାଟ ମାନବ ଶୃଙ୍ଖଳ କରିବା ସହ ଇସ୍ତଫାକୁ ବିରୋଧ କରିଥିଲେ । ଏହି ସମୟରେ ମହିଳାମାନେ ତାଙ୍କ ଇସ୍ତଫା ପତ୍ର ଛଡ଼ାଇ ନେଇ ଚିରି ଫୋଫାଡି ଦେଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ନାହିଁ ବୋଲି ଟ୍ୱିଟ କରି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ।
ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ରାଜନୀତି ଜୋରଦାର ହୋଇଛି । ସେପଟେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଣିପୁରରେ ଦୁଇଦିନିଆ ଗସ୍ତରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ, ମଣିପୁର ଜଳୁଥିବା ବେଳେ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ବିରୋଧୀ ଦଳଗୁଡ଼ିକ ବୀରେନ ସିଂହଙ୍କ ଇସ୍ତଫା ମାଗିଥିଲେ । ଏହାପରେ ଶ୍ରୀ ଶାହଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ବୀରେନ ସିଂହ । ମେ’୩ରୁ ମଣିପୁରରେ ହିଂସା ଦେଖିବାକୁ ମିଳିଛି । ଚୁରାଚାନ୍ଦପୁରରୁ ଆରମ୍ଭ କରି ରାଜଧାନୀ ଇମ୍ଫାଲରେ ଏହାର ପ୍ରଭାବ ପଡ଼ିଛି । ଏହାର ପ୍ରଭାବରେ ୧୦୦ରୁ ଅଧିକ ଲୋକ ହିଂସା ଯୋଗୁଁ ପ୍ରାଣ ହରାଇଥିବା ବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ହିଂସା ଯୋଗୁଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନେ ଏବେ ବିଭିନ୍ନ ରିଲିଫ କ୍ୟାମ୍ପରେ ରହୁଛନ୍ତି ।