ଚର୍ଚ୍ଚାରେ ବିଧାୟିକାଙ୍କ ଫୋନ୍ ଧମକ । ୨୦୨୪ ନିର୍ବାଚନ ପୂର୍ବରୁ ବଦଳିଗଲା ବିଧାୟିକାଙ୍କ ସ୍ବଭାବ ?

ହିନ୍ଦୋଳ : ଫେସବୁକ୍ କମେଣ୍ଟକୁ ନେଇ ବିଧାୟିକାଙ୍କ ସିଧା ଟାର୍ଗେଟ୍ । ହିନେ୍ଦାଳ ବିଧାୟିକାଙ୍କ ଖୋଲା ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବ ସମାଜସେବୀ । ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିଧାୟିକାଙ୍କ ଏପରି ଟାର୍ଗେଟ୍ ଜନତାଙ୍କ ମଧ୍ୟରେ କିଂଙ୍କାର ସୃଷ୍ଟି କରୁଛି । ଫେସବୁକ ହେଉଛି ଏକ ସାମାଜିକ ଗଣମାଧ୍ୟମ । ଏଠାରେ ସମସ୍ତେ ସମସ୍ତଙ୍କର ମତାମତ ନିଦ୍ୱର୍ନ୍ଦରେ ରଖିପାରିବେ । ତେବେ ବିଧାୟିକାଙ୍କ ପ୍ରଶଂସା ପୋଷ୍ଟ ତଳେ କମେଣ୍ଟରେ ସମାଜସେବୀ ତାଙ୍କୁ ପ୍ରଶ୍ନ କରିବାରୁ ଚିହିଁକି ଉଠିଥିଲେ ବିଧାୟିକା । ଆଉ ଖୋଲାଖୋଲି ତାଙ୍କୁ ଫୋନ କରି ଦେଇଥିଲେ ଧମକ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଖୋଲମଖୁଲା ଦାଦାଗିରିର ଏବେ ହିନ୍ଦୋଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଶାନ୍ତ ସ୍ବଭାବ ବ୍ୟକ୍ତିତ୍ବ ଭାବେ ପରିଚିତ ବିଧାୟିକାଙ୍କ ଏଭଳି ଧମକ ଫୋନ୍ କଲ୍ ଭାଇରାଲ ହେବା ପରେ ତାଙ୍କ ବ୍ୟକ୍ତିତ୍ବ ନେଇ ଉଠିଛି ପ୍ରଶ୍ନ । ସାମାନ୍ୟ ଫେସବୁକ୍ କମେଣ୍ଟକୁ ନେଇ ହିନ୍ଦୋଳ ବିଧାୟିକା ଜଣେ ଯୁବ ସମାଜସେବୀଙ୍କୁ ଖୋଲାଖୋଲି ଧମକାଇବା ଘଟଣା ଏବେ ହିନ୍ଦୋଳରେ ରାଜନୈତିକ ସରଗରମକୁ ଜୋର କରିଛି । ଜଣେ ଅନୁଭବୀ ଏବଂ ଦୁଇ ଦୁଇ ଥର ବିଧାୟିକାଙ୍କ ଏଭଳି ବାଚାଳାମିକୁ ନେଇ ରାଜନୈତିକ ସମୀକ୍ଷକ ତଥା ବୁଦ୍ଧିଜୀବୀ ନିନ୍ଦା କରୁଥିବା ଦେଖାଦେଇଛି ।
ସୂଚନା ଅନୁସାରେ, ବିଧାୟିକା ଗୋଟିଏ ଗ୍ରାମକୁ ଯାଇ ଲୋକଙ୍କ ସୁଖଦୁଃଖ ବୁଝୁଥିବାର ଏକ ଫଟୋକୁ ତାଙ୍କର ଜଣେ ସମର୍ଥକ ଫେସବୁକରେ ପୋଷ୍ଟ କରିଥିଲେ । ତେବେ ଏହି ପୋଷ୍ଟରେ ବିଧାୟିକାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇ କମେଣ୍ଟ ଦେଇଥିଲେ ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ ।
ଗୋବର୍ଦ୍ଧନ ହେଉଛନ୍ତି ଉକ୍ତ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ । ସେ ସରକାରୀ କାର୍ଯ୍ୟରେ ହେଉଥିବା ଅନିୟମିତତାକୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର ମୌଳିକ ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଦାବିପତ୍ର ଦେଇଆସୁଛନ୍ତି । ଗୋବର୍ଦ୍ଧନଙ୍କ ଏହିଭଳି କାର୍ଯ୍ୟକୁ ନେଇ ବିଧାୟିକାଙ୍କ କର୍ମୀମାନେ ତାଙ୍କୁ ଅନେକ ଥର ଧମକାଇ ଥିବା ସେ କହିଛନ୍ତି । ତେବେ ପ୍ରଥମଥର ବିଧାୟିକା ନିଜେ ଫୋନରେ ଧମକ ଦେବା ପରେ ଗୋବର୍ଦ୍ଧନ ଭୟଭିତ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ନେଇ ସେ ହିନ୍ଦୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଏ ନେଇ ଆମ ପ୍ରତିନିଧି ବିଧାୟିକାଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ, ମାତ୍ର ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ପୋଲିସ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ସହ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା ଏବଂ ହିନ୍ଦୋଳରୁ ସନାତନ ନାଥଙ୍କ ରିପୋର୍ଟ