ଧୋକା ଦେଲା ୧୦୮, ଜୀବନ ବଞ୍ଚାଇଲେ ଯୁବଗୋଷ୍ଠୀ

ହିନ୍ଦୋଳ : ସାବାସ୍ ଯୁବଗୋଷ୍ଠୀ । ୧୦୮ ସିନା ଧୋକା ଦେଲା । ମାତ୍ର ସଚେତନ ନାଗରିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣଙ୍କ ଜୀବନ ବଂଚିଗଲା । ସରକାରଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ପାଞ୍ଚମାଇଲ ଗ୍ରାମରେ । ହିନ୍ଦୋଳ NACର ଜ୍ଞାନରଞ୍ଜନ ପାଳ ନାମକ ଜଣେ ଯୁବକ ରାସୋଳ ବଜାରରୁ ହିନ୍ଦୋଳ ଅଭିମୁଖେ ଯିବା ସମୟରେ ପାଞ୍ଚମାଇଲ ନିକଟରେ ଏକ କୁକୁର ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ସ୍ଥାନୀୟ କିଛି ଯୁବକ ଫୋନ୍ ଯୋଗେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ଆସିଲା । ହେଲେ ଘଟଣାସ୍ଥଳରୁ ମାତ୍ର ୨୦୦ମିଟର ଯିବାପରେ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମ୍ବୁଲାନ୍ସ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା ।
ସେପଟେ ଦୁର୍ଘଟଣାରେ ଗୁରୁତର ଆହତ ଯୁବକ ଛଟପଟ ହେଉଥିବାବେଳେ ଏପଟେ ୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର ତାଙ୍କୁ ବ୍ୟଥିତ କରିଥିଲା । ଏପରିକି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଯେତେ ପେଲାଠେଲା କଲେ ମଧ୍ୟ ଆମ୍ବୁଲାନ୍ସ ତିଳେ ମାତ୍ର ଗଢିନଥିଲା । ପରେ ଗୁରୁତର ଆହତଙ୍କ ଆଶୁ ଚିକିତ୍ସା ନିମନ୍ତେ ତୁରନ୍ତ କିଛି ଯୁବକ ଏକ କାର୍ ଯୋଗେ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଯୁବକ ଜଣକ ।
ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଏତେ ଗୁରୁତ୍ବ ଦେଉଥିବାବେଳେ ୧୦୮ ଆମ୍ବୁଲାନ୍ସର ଏଭଳି ବିକଳ ଚିତ୍ର ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହରା ଓ ହିନ୍ଦୋଳରୁ ସନାତନ ନାଥ