ହିନ୍ଦୋଳରେ ଚାଲିଛି ମାଫିଆ ରାଜ୍ । ମାଫିଆ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ ।

ଢେଙ୍କାନାଳ : ହିନ୍ଦୋଳରେ ଚାଲିଛି ମାଫିଆ ରାଜ୍ । ଦିନ ରାତି ପାହଡ କାଟି ବେଆଇନ୍ ମୋରମ୍ ଚାଲାଣ କରୁଛନ୍ତି ମୋରମ୍ ମାଫିଆ । ବେଆଇନ ମାଟି ଖନନ ହେଉଥିବା ସ୍ଥାନରୁ ତହସିଲଦାରଙ୍କ କାର୍ଯ୍ୟାଳୟ ଏବଂ ବନ୍ୟ ବିଭାଗ ତଥା ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟାଳୟ ଅନତୀଦୂର । ମାତ୍ର ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ । ଏଠି ପ୍ରଶ୍ନ ମାଫିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ । ମାଫିଆ ଓ ପ୍ରଶାସନ ମଧ୍ୟରେ ରହିଛି କି ମଧୁଚନ୍ଦ୍ରିକା ।
ହିନ୍ଦୋଳ ଉପଖଣ୍ଡ ଓ ତହସିଲ ଅଞ୍ଚଳର ଅଧିକାଂଶ ପାହାଡ଼ରୁ ଦିନ-ରାତ୍ରି ମାଫିଆମାନେ ବେଆଇନ ଭାବେ ମେସିନ ଯୋଗେ ମୋରମ୍ ଖନନ କରି ସେ ସବୁକୁ ନିରାପଦରେ ଏଣେ ତେଣେ ପରିବହନ କରି ନିଜର ସ୍ବାର୍ଥ ହାସଲ କରୁଛନ୍ତି । ପାହାଡ ପର୍ବତରୁ ଅଯଥା ମୃତ୍ତିକା କ୍ଷୟ ଘଟୁଥିବାବେଳେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ମଧ୍ୟ ହେଉଛି । ଏଭଳି ବେଆଇନ କାର୍ୟ୍ୟ ସ୍ଥାନୀୟ ତହସିଲଦାର ଓ ଆର୍ ଆଇଙ୍କ ଜ୍ଞାତ ସାରରେ ହେଉଥିବାବେଳେ ପ୍ରଶାସନ ନିଦା ବିଷ୍ଣୁ ସକ୍ଷଜିବାକୁ ନେଇ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି ।
ଏ ହେଉଛି ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡ ତଥା ବନବିଭାଗିୟ କାର୍ୟ୍ୟାଳୟଠାରୁ ମାତ୍ର ଅଧା କିଲୋ ମିଟର ଦୂରରେ ଜେଲ ରୋଡ – ନରସିଂହପୁର ରାସ୍ତା ପାର୍ଶ୍ବବର୍ତ୍ତି ସାଇ ମନ୍ଦିର ଓ ନବନିର୍ମିତ ଇଣ୍ଡୋର ଷ୍ଟାଡିମ ପଛ ପାର୍ଶ୍ୱକୁ ଲାଗି ରହିଥିବା ଶାଳବଣୀ ପାହାଡ଼ । ଉକ୍ତ ପାହାଡରୁ ମେସିନ ଯୋଗେ ମୋରମ୍ ଖନନ କରାଯାଉଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଅନୁସନ୍ଧାନ କରିବାରୁ ସେଠାରେ ଉପସ୍ଥିତ ଠିକାଦାର କହିଥିଲେ ଯେ, ଏହି ସବୁ କାମ ତହସିଲଦାରଙ୍କ କହିବା ଅନୁସାରେ କରାଯାଉଛି । ଅପରପକ୍ଷେ ଏ ନେଇ ଠିକାଦାର କୌଣସି ଲିଖିତ ନିର୍ଦ୍ଦେଶନାମା ଦେଖାଇ ନ ପାରିବାରୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବେଆଇନ ଭାବେ ମୋରମ୍ ଉତ୍ତୋଳନ ହେଉଥିବା ସ୍ପଷ୍ଟ ଜଣା ପଡୁଥିବାବେଳେ ଠିକାଦାର କାହିଁକି ତହସିଲଦାରଙ୍କ ନାମ ନେଲେ ତାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ଦୋଳ ଓ ହୋଲି ଉତ୍ସବ ପରେ ନିକଟସ୍ଥ ଶାଳବଣି ଜଙ୍ଗଲ (ପଠାଣି ପୋତା ସାହି ଗ୍ରାମ୍ୟ ଜଙ୍ଗଲ)ର ପ୍ରାୟ ଦୁଇ ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ ଜମିରୁ ମାଫିଆମାନେ ମେସିନ ଯୋଗେ ଶହ ଶହ ଗାଡି ମୋରମ୍ ଖନନ କରିଥିବା ନଜରକୁ ଆସିବାରୁ ଗ୍ରାମବାସୀ ଏ ନେଇ ପ୍ରଶାସନ ଓ ତହସିଲ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହାପରେ ବେଶ୍ କିଛି ଦିନ ବେଆଇନ ଖନନ ବନ୍ଦ ରହିଥିଲା । ତେବେ ପ୍ରଶାସନର କହୋଳ ମନୋଭାବ ପରେ ଏବେ ପୁଣି ତତ୍ପର ହୋଇଉଠିଛନ୍ତି ମୋରମ୍ ମାଫିଆ ।
ବେଆଇନ୍ କାମକୁ ତଦାରଖ କରିବା ପାଇଁ ଢେଙ୍କାନାଳରେ ସମସ୍ତ ବିଭାଗ ଥାଇ ମଧ୍ୟ ନଥିବା ପରି । ତେବେ ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଢେଙ୍କାନାଳ ସୁଜିତ୍ କୁମାର ବେହେରା ଓ ହିନ୍ଦୋଳରୁ ସନାତନ ନାଥ