ପ୍ରତିଶୋଧ ପରାୟଣ ହେଉଛନ୍ତି ଶିକାରୀ । ଶିକାରୀ ଗୁଳିରେ ପୁଣି ଜଣେ ବନାଧିକାରୀ ମୃତ ।

ମୟୂରଭଞ୍ଜ : ଶିକାରୀ ଗୁଳିରେ ପୁଣି ଆଉ ଜଣେ ବନକର୍ମଚାରୀଙ୍କ ଜୀବନ ଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରାହାକାମୁଡା ରେଞ୍ଜ ଭାରପ୍ରାପ୍ତ ବନାଧିକାରୀ ମାଟି ହାଁସଦା ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ବନକର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଶିକାରୀଙ୍କ ପକ୍ଷରୁ ଗୁଳି ଫରେଷ୍ଟରଙ୍କ ଶରୀରରେ ବାଜିଥିଲା । ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଗୁଳି ବିନିମୟ ସମୟରେ ଶିକାରୀ ପଟରୁ ମୋଟ ୬ ଜଣ ଶିକାରୀ ଥିଲେ । ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି । ଏପଟେ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ନିକଟରେ ଶିମିଳିପାଳ ଅଭ୍ୟାୟରଣୟରେ ସମାନ ଘଟଣା ଘଟିଥିଲା । ଗତ ମେ’ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ଫରେଷ୍ଟଗାର୍ଡ ବିମଳ କୁମାର ଜେନାଙ୍କର ମୃତ୍ୟୁ ଘଟିଥିଲା । ଶିକାରୀମାନେ ପ୍ରତିଶୋଧ ପରାୟଣ ହୋଇ ଫରେଷ୍ଟର ମାଟି ହାଁସଦାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।