ପରିବର୍ତ୍ତନ ହେବ ନାହିଁ ଦର୍ପଦଳନ ରଥର ଅଖ

ପୁରୀ : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ ପ୍ରସଙ୍ଗ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଜରୁରୀ ବୈଠକର ନିଷ୍ପତ୍ତି । ପରିବର୍ତ୍ତନ କରାଯିବ ନାହିଁ ରଥ ଅଖ । ରଥର ଭାର ସେହି ଚକ ଅଖରେ ନଥାଏ । ଫାଟ କେବଳ ଉପରେ ରହିଛି, ଭିତରେ ନାହିଁ । ଏ ନେଇ ବୈଠକ ପରେ ବୈଷୟିକ କମିଟି ପ୍ରତିକ୍ରିୟା ଦେଇଛି ।
ବୈଠକ ପରେ ରଥ ନିର୍ମାଣ ବୈଷୟିକ କମିଟି ମୁଖ୍ୟ ଏନ୍.ସି ପାଲ କହିଛନ୍ତି, ଆମେ ଅଖର ଉକ୍ତ ସ୍ଥାନକୁ ଦେଖିଲୁ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏଥିରେ କିଛି ସମସ୍ୟା ନାହିଁ । ଗୋଟିଏ ୟୁ କ୍ଲାମ୍ପ ଦିଆଯାଇଛି । ଆଉ ଗୋଟିଏ ୟୁ କ୍ଲାମ୍ପ ଦିଆଗଲେ ଆଉ କିଛି ଅସୁବିଧା ହେବ ନାହିଁ । ସେଇଟା ସେତେ ଲୋଡିଂ ପଏଣ୍ଟ ମଧ୍ୟ ନୁହେଁ । ସେ ଆହୁରି କହିଛନ୍ତି, ଆମେ ତାକୁ ଫାଟ ମଧ୍ୟ କହିପାରିବା ନାହିଁ । ସେ ସ୍ଥାନରେ କାଠରୁ ଏକ ଛାଲ ବା ପରସ୍ତ ଛାଡ଼ି ଗଲା ଭଳି ହୋଇଛି ।
ରଥର ସାନ ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଥିବା ନେଇ ଖବର ଆସିବା ପରେ ବିଭିନ୍ନ ବର୍ଗରେ ଚିନ୍ତା ପ୍ରକଟ କରାଯାଇଥିଲା । ଅଘଟଣ ଘଟିବା ନେଇ ଆଶଙ୍କା କରିଥିଲେ ସମସ୍ତେ । ଉକ୍ତ ସ୍ଥାନରେ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି । ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି ।