ରୂପାର ହାତୀ ରଖିଥିଲେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର । ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍

ନୟାଗଡ : କୁବେର ସମ୍ପତ୍ତିର ମାଲିକ ପୂର୍ବତନ ଯୋଗାଣ ଅଧିକାରୀ । ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ତାଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ରାଜା ଭଳି ଜୀବନ ବିତାଉଥିଲେ ବ୍ରଜେନ୍ଦ୍ର । ବାସ୍ତୁ ପାଇଁ ଘରେ ରଖିଥିଲେ ରୂପାର ହାତୀ । ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ରହିଛି ୭ ଟି ଘର ଏବଂ ୩୦ରୁ ଅଧିକ ଦୋକାନ । ଭୁବନେଶ୍ୱରର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ତାଙ୍କର ଏକ ବିରାଟ ଅଟାଳିକା ରହିଛି, ଯାହାର ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏଥିସହ ରାଧାକୃଷ୍ଣ ନଗରରେ ୫୦ ଲକ୍ଷ ଟଙ୍କାର ଡୁପ୍ଲେକ୍ସ ଅଛି । ଭୀମଟାଙ୍ଗୀ ହାଉସିଂ କଲୋନୀରେ ତାଙ୍କର ଏକ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା କୋଠା ଏବଂ ଲୁଇସ ରୋଡ୍ ଓ ଶିଶୁପାଳଗଡ଼ରେ ଗୋଟିଏ ଲେଖାଏଁ କୋଠା ରହିଛି ।
ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗୋରଡ଼ିରେ ତାଙ୍କର ଏକ ଏକରରୁ ଅଧିକ ଫାର୍ମ ହାଉସ ରହିଛି । ନିମାପଡ଼ାରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି । ସେଠାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ସେ ଏକ ହଲ୍ ଭଡ଼ାରେ ଦେଇଛନ୍ତି ଯାହା ୨୦୦୦ ବର୍ଗଫୁଟର ହେବ । ତାଙ୍କର ଏହି ସବୁ ଘର, ଫାର୍ମହାଉସ୍ ଓ ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ କେତେ ହେବ, ସେ ନେଇ ହିସାବ ଜାରି ରହିଛି ।
ଏତଦ୍ ବ୍ୟତୀତ ୨୦ରୁ ଅଧିକ ଏଲ୍ଆଇସି ବଣ୍ଡ, ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । ବ୍ୟାଙ୍କରେ ଶ୍ରୀ ନାୟକଙ୍କର ୬୦ ଲକ୍ଷ ଟଙ୍କା ଜମା ରହିଛି । ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି । ତେବେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ତାଙ୍କର ସମ୍ପତ୍ତି ତାଲିକା ଆହୁରୀ ବଢିବା ନେଇ ସନ୍ଦେହ କରାଯାଉଛି । ଚଢାଉରେ ଭିଜିଲାନ୍ସର ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି ।