ଆଜିଠାରୁ ଆରମ୍ଭ ‘ମୋ-ଘର’ ଯୋଜନାରେ ଆବେଦନ ପ୍ରକ୍ରିୟା

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡିଥିବେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଏ ନେଇ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ।
ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ ଏହାର ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ ।
ଆବେଦନକାରୀଙ୍କ ଡକୁମେଣ୍ଟକୁ ବ୍ଲକ ପ୍ରଶାସନଦ୍ବାରା ଯାଞ୍ଚ ପରେ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ । ଯେଉଁମାନଙ୍କର ଘର ନିର୍ମାଣରେ ଅର୍ଥ ବାଧକ ସାଜିଛି ସେମାନଙ୍କୁ ଛାତ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିବ । ଏଥିପାଇଁ ହିତାଧିକାରୀଙ୍କୁ https://rhodisha.gov.in/moghara/ ୱେବସାଇଟ୍ରେ ଆବେଦନ କରିବାକୁ ହେବ । ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ଏହାସହ ଆୟ ପ୍ରମାଣ ପତ୍ର ଦେବାକୁ ପଡିବ । ଯେଉଁମାନଙ୍କର କଚ୍ଚା ଘର ଥିବ, କିମ୍ବା ଗୋଟିଏ କୋଠରୀ ଥିବା ପକ୍କା ଘର ଥିବ, ପରିବାରର ଆୟ ୨୫ ହଜାରରୁ କମ୍ ଟଙ୍କା ଥିବ, ସେହିମାନେ ‘ମୋ-ଘର’ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ଘର ନିର୍ମାଣ ପାଇଁ ପୂର୍ବରୁ ୭୦ ହଜାରରୁ ଅଧିକ ଟଙ୍କା ସରକାରୀ ସହାୟତା ପାଇଥିଲେ ‘ମୋ-ଘର’ ଯୋଜନାରେ ସାମିଲ କରାଯିବ ନାହିଁ ।
୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ହଜାର ଓ ଏସଟି/ଏସସିଙ୍କୁ ୪୦ ହଜାର ଟଙ୍କା ସବସିଡି ପ୍ରଦାନ କରାଯିବ । ସେହିପରି ଦେଢ ଲକ୍ଷରେ ଯଥାକ୍ରମେ ୪୫ ହଜାର ଓ ୫୫ ହଜାର, ୨ ଓ ୩ ଲକ୍ଷରେ ଯଥାକ୍ରମେ ୬୦ ହଜାର ଓ ୭୦ ହଜାର ଟଙ୍କା ସବସିଡି ମିଳିବ । ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ । ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କୁ ୨ବର୍ଷ ମଧ୍ୟରେ ଘର ପାଇଁ ସହାୟତା ଯୋଗାଇ ଦେବାକୁ ୨୧୫୦କୋଟି ଟଙ୍କା ବ୍ୟୟ ଆକଳନ କରିଛନ୍ତି ରାଜ୍ୟ ସରକାର ।