ବିଲୁଆଖାଇ ନଦୀପଠାରେ ପାଳିତ ହେଉଛି ରଜ ଉତ୍ସବ

ଜଗତସିଂହପୁର : ରାଜ୍ୟର ଗଣପର୍ବ ରଜକୁ ନେଇ ଚାରିଆଡେ ଉତ୍ସବ ମୁଖର । ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମୁଣ୍ଡିଲୋସ୍ଥିତ ବିଲୁଆଖାଇ ନଦୀପଠାରେ ପାଳିତ ହେଉଛି ରଜ ଉତ୍ସବ । ଯୁବ ଉଦ୍ୟୋଗୀ ଶେଷଦେବ ନନ୍ଦଙ୍କ ଆୟୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଅକ୍ଷୟ ମହାନ୍ତି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ । ଗ୍ରୀଷ୍ମ ଓ ବର୍ଷା ଋତୁର ସଂଧିକ୍ଷଣରେ ଭିଜା ମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ । ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମୀର ମିଳନ ପର୍ବ ।

ଓଡ଼ିଶାରେ ସଜବାଜ ଦିନକୁ ମିଶାଇ ମୋଟ ୪ ଦିନ ରଜପର୍ବ ପାଳନ କରାଯାଏ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ବର୍ଷକରେ ଥରେ ଆସୁଥିବା ଏହି କୃଷି ଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହାରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ ଧୁମଧାମର ସହ ପାଳନ କରିଥାନ୍ତି । ଏହି ସମୟରେ ଝିଅମାନେ ସାଧାରଣତଃ କୌଣସି କାର୍ଯ୍ୟ ନ କରିବା ସହିତ ଖେଳି ବୁଲି ମଜା କରିଥାନ୍ତି । ରଜ ପାନ, ପୋଡପିଠା, ଦୋଳି ଖେଳ ସହ ଲୁଡୁ, ତାସ୍, ବାଗୁଡି ଭଳି ଖେଳ ରଜର ମଜା ଦ୍ବିଗୁଣିତ କରିଥାଏ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ