ହିନ୍ଦୋଳ ଏନ୍ଏସିରେ ମହାଘୋଟାଲା ଗନ୍ଧ । କିଏ କହୁଛି ସତ ?

ହିନ୍ଦୋଳ : ହିନ୍ଦୋଳ ଏନ୍ଏସି ହରିହାଟ ପଡିଆ ଦେବତ୍ର ଜମିରେ ପଡୁଛି ମାଟି । ହେଲେ ମାଟି ପକାଇବା ପାଇଁ ହୋଇନି ଟେଣ୍ଡର୍ । ଗୋଟେ ପଟେ ଏହି ମାଟି ସ୍ପେଶାଲ୍ ଫଣ୍ଡରୁ ପଡୁଥିବା କଥା ହିନ୍ଦୋଳ ଜେଇ ପ୍ରିୟଙ୍କା ଦେଓ କହୁଥିବାବେଳେ ଏହି ମାଟି ନିଜସ୍ବ ଏବଂ ମାଗଣା ପଡୁଛି ବୋଲି କହିଛନ୍ତି ଏନ୍ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ । ଏପରିକି ୨ ନମ୍ବର ୱାର୍ଡ଼ କାଉନସିଲରଙ୍କୁ ପଚାରିବାରୁ ସେ ମଧ୍ୟ ସମାନ କଥା କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଜେଇ ଏ କଥା ଜାଣିପାରିଲେନି କେମିତି । ହରିହାଟ ପଡିଆରେ ମାଟି ମାଗଣା ପଡୁଛି ନା ସ୍ପେଶାଲ୍ ଫଣ୍ଡରୁ ପଡୁଛି ଏ କଥା ଜେଇଙ୍କୁ ଅଜଣା କେମିତି ।

ସୂଚନା ଅନୁସାରେ ହିନ୍ଦୋଳ ଏନ୍ଏସିର ଦୁଇ ନମ୍ବର ୱାର୍ଡ଼ ହରିହାଟ ପଡ଼ିଆରେ ଗଦାଗଦା ମାଟି ପଡ଼ୁଥିବା ଦେଖିବାକୁ ମିଳିଥିଲା । ତେବେ ବିନା ନାମଫଳକରେ ଏ କାମ କାହିଁକି ହେଉଛି ବୋଲି ଗାଁଲୋକ ପ୍ରଶ୍ନ କରିବା ସହ ଏ ନେଇ ଆଲୋଚନା ହୋଇଥିଲା । ପରେ ଜଣାପଡିଥିଲା ଯେ, ଏନ୍ଏସି ଅଧ୍ୟକ୍ଷଙ୍କ ଏକ ନିଜସ୍ବ ବନ୍ଧ ଖୋଳାଯାଉଥିବାରୁ ସେ ଉକ୍ତ ମାଟିକୁ ମାଗଣାରେ ଲୋକଙ୍କ ସ୍ବାର୍ଥ ପାଇଁ ହରିହାଟ ପଡ଼ିଆରେ ପକାଇ ଏହାକୁ ସମତୁଲ କରୁଥିଲେ ।

ତେବେ ଏଠି ପ୍ରଶ୍ନ ଗ୍ରାମବାସୀଙ୍କ ବିନା ଆବେଦନରେ ଅଧ୍ୟକ୍ଷ କିଭଳି ନିଜସ୍ବ ମାଟି ଦେବତ୍ର ପଡ଼ିଆରେ ପକାଇଲେ । ଆଗାମୀ ଦିନରେ ଏହାକୁ ନେଇ ଏକ ବଡ ଧରଣର ବିଲ୍ ହେବା ସହ ଏନ୍ଏସିରେ ମହାଘୋଟଲା ହେବାକୁ ଯାଉଥିବା ଗନ୍ଧ ବାରି ହୋଇପଡୁଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ହିନ୍ଦୋଳ ଏନ୍ଏସି କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ମହାଘୋଟାଲା ହେବା ସହ ଘଟଣାର ପ୍ରଚ୍ଛଦପଟରେ କିଛି ପ୍ରଭାବଶାଳୀ କାଉନସିଲରଙ୍କ ହାତ ରହିଛି ବୋଲି ଆଲୋଚନା ଏବେ ଘଟଣାକୁ ଆହୁରୀ ସୁଦୃଢ କରିଛି । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହି ଘଟଣାର କିଭଳି ତଦନ୍ତ କରୁଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା, ହିନ୍ଦୋଳରୁ ସନାତନ ନାଥ