ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନ୍

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନ୍ । ରୟାଲ କଲେଜ ଅଫ୍ ସାଇନ୍ସ୍ ଏଣ୍ଡ ଟେକ୍ନୋଲୋଜି, ରୟାଲ ପବ୍ଲିକ୍ ସ୍କୁଲ ଏବଂ ବାଲେଶ୍ଵର ଜିଲ୍ଲାର ମଇତାପୁରରେ ଥିବା ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ୍ ସ୍କୁଲରେ ମାଗଣାରେ ପାଠ ପଢ଼ାଇବାକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଦୁର୍ଘଟଣାରେ ଓଡ଼ିଶା ରାଜ୍ୟର ଉଭୟ ପିତାମାତା କିମ୍ବା କେବଳ ପିତା ବା ମାତାଙ୍କୁ ହରାଇଥିବା ପିଲାମାନେ ଯଦି ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଓଡ଼ିଆ ଓ ଇଂରାଜୀ ବିଭାଗରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣା ରହିବା, ଖାଇବା ସହିତ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରୟାଲ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନର ଚେୟାରମ୍ୟାନ୍ ଡ଼.ବିଷ୍ଣୁମୋହନ ମହାନ୍ତି । ଏଥିପାଇଁ ସମ୍ପୃକ୍ତ ପରିବାରର ସଂପର୍କୀୟଙ୍କୁ ଯୋଗାଯୋଗ କରିବା ପାଇଁ ସେ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୟାଲ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନର ଚେୟାରମ୍ୟାନ୍ ଡ଼.ବିଷ୍ଣୁମୋହନ ମହାନ୍ତି, ଭାଇସ୍ ଚେୟାରମ୍ୟାନ ମିଲନ୍ ମହାନ୍ତି ଉପସ୍ଥିତ ଥିଲେ ।
ଗତ ଜୁନ୍ ୨ ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି । ମୃତକଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇ ସେମାନଙ୍କ ପିଲାଙ୍କୁ ଉନ୍ନତ ଶିକ୍ଷା ଦେବା ଲକ୍ଷ୍ୟରେ ଆଗେଇ ଆସିଛି ଭୁବନେଶ୍ବରସ୍ଥିତ ରୟାଲ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଗଣିତ ଏହି ଶିକ୍ଷାନୁଷ୍ଠାନର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ