କଳମିଶ୍ରି ପଞ୍ଚାୟତ କାର୍ଯାଳୟରେ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ସାଲେପୁର : ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳର କଳମିଶ୍ରି ପଞ୍ଚାୟତ କାର୍ଯାଳୟ ପରିସରରେ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଧ୍ରୁବ ଚାରିଟେବୁଲ ଟ୍ରଷ୍ଟ, ତ୍ରିଶା ହସ୍ପିଟାଲ ଓ ତ୍ରିଶା ନର୍ସିଙ୍ଗ ସେଣ୍ଟରର ତତ୍ତ୍ବାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ କଳମିଶ୍ରି, ଜନାର୍ଦ୍ଦନପୁର, ସାନ୍ତପୁର, ବନ୍ଧୁପୁର, ପାଳଦା ସମେତ ଆଖପାଖ ଗ୍ରାମର ବହୁ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ, ଶିଶୁ ରୋଗ, ସର୍ଜରୀ, ଚକ୍ଷୁ, ଦନ୍ତ, କର୍ଣ୍ଣ-ନାସା-ଗଳା ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା ।

ଧ୍ରୁବ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳମିଶ୍ରି ପଞ୍ଚାୟତ ସରପଞ୍ଚ ଅନନ୍ତ କର, ସମାଜସେଵୀ ପ୍ରମୋଦ ନାୟକ, ଧ୍ରୁବ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା