ଅସହାୟଙ୍କ ସାଥୀ ତ୍ରିଶକ୍ତି ଫାଉଣ୍ଡେସନ…

ଭୁବନେଶ୍ବର : ଲୁଲି ମଣ୍ଡଳଙ୍କ ପରିବାରକୁ ସହାୟତାର ହାତ ବଢାଇଲା ତ୍ରିଶକ୍ତି ଫାଉଣ୍ଡେସନ । ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଅକ୍ଷୟ ଦାଶଙ୍କ ନେତୃତ୍ୱ ପୀଡିତ ପରିବାରକୁ ଏକ ମାସର ରାସନ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ମଣ୍ଡପ ବସ୍ତିରେ ରୁହନ୍ତି ଲୁଲି ମଣ୍ଡଳ ଓ ତାଙ୍କ ପରିବାର । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ହସଖୁସିରେ ଚାଲୁଥିଲା ତାଙ୍କ ସଂସାର ।

ଏକଦା ଲୁଲି ମଣ୍ଡଳ ସେଠାରେ ଥିବା ଏକ ଆପାର୍ଟମେଣ୍ଟକୁ ଯାଇଥିବାବେଳେ ୩ ମହଲା କୋଠାରୁ ତଳକୁ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲୁଲିଙ୍କ ଜୀବନ ବଞ୍ଚିଯାଇଥିବାବେଳେ ସେ ଏକ ପ୍ରକାର ଅକର୍ମଣ୍ୟ ହୋଇପଡିଛନ୍ତି । ଅଣ୍ଟା ତଳୁ ପାରାଲେସିସ୍ ହୋଇଯାଇଥିବାବେଳେ ତାଙ୍କର ବେକ ମୋଡି ହୋଇଯାଇଛି । ଲୁଲି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ଏବେ ପରିବାର ସମ୍ପୂର୍ଣ୍ଣ ବେସାହାର ହୋଇଯାଇଛନ୍ତି ।

ଏ ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ତ୍ରିଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଅକ୍ଷୟ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଲୁଲିଙ୍କ ଘରକୁ ଯାଇ ପରିବାର ପ୍ରତିପୋଷଣ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ସଂଗଠନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଲୁଲିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ