ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦ ମୁହାଁ, ଓଡିଶା ଆସିବେ ମୋଦି

ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ପ୍ରଥମେ ଟ୍ରେନ୍ ଦୁର୍ଘଟଣା ସ୍ଥଳ ବାହାନଗାକୁ ଯାଇ ସେଠାରେ ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଗୁରୁତର ଚିକିତ୍ସିତଙ୍କୁ ଭେଟିବାକୁ କଟକ ଏସସିବି ମେଡିକାଲ କଲେଜକୁ ଯିବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ବାହାନଗା ଦୁର୍ଘଟଣାରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୨୮୦ ଟପିଲାଣି । ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ହେଉଛି । ତଥାପି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ମଧ୍ୟ ଆଜି ଦୁର୍ଘଟଣାସ୍ଥଳ ଆସିବାର କାର୍ୟ୍ୟକ୍ରମ ରହିଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ସହ ତାମିଲନାଡୁ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସିବେ ବୋଲି ଜଣାପଡିଛି ।
ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦ ମୁହାଁ ହୋଇଥିବା ବେଳେ ଗୁରୁତରଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ ରହିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି । ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି । ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି ।