ବିଦ୍ୟୁତସେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛି ଟାଟାପାୱାର…

ବାଲେଶ୍ବର : ଏଠାରେ ଖୁଂଟ ରହିଛି ତାର ବି ଝୁଲୁଛି । ହେଲେ ବିଦ୍ୟୁତ୍ ସେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛି ଟାଟାପାୱାର । ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ନାଁରେ ବିଦ୍ୟୁତ୍ ବିଭାଗକୁ ଘରୋଇକରଣ କରି ଟାଟାପାୱାର ହାତକୁ ଟେକିଥିଲେ । ହେଲେ ବ୍ୟବସ୍ଥା ଦେଖିବା ପରେ ଏବଂ ଅସୁବିଧା ଜାଣିବା ପରେ ଆପଣ ବି କହିବେ ବାଃ ବାଃ ଟାଟାପାୱାର ଖୁବ୍ ଉନ୍ନତି କରିଛି ।
ରାଜ୍ୟର ବିଦ୍ୟୁତ୍ ବିଭାଗ ଟାଟାପାୱାର ହାତକୁ ଯିବା ପରଠୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଟାପାୱାର ଲୋକଙ୍କୁ ଉନ୍ନତ ବିଦ୍ୟୁତସେବା ଯୋଗାଉଛି ବୋଲି ଯେଉଁ ଡିଣ୍ଡିମ ପିଟୁଛି ତାହାର ବିକଳଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ପଂଚାୟତରେ । ଗାଁ ଗହଳି ଅଂଚଳର ବିକାଶ କଲେ କେହି ଦେଖିବେନି । ତେଣୁ ଗାଁ ସୁନ୍ଦର ବଉଳା ଗାଇ ଭଳି ପନ୍ଥା ଆପଣାଉଛି ଟାଟାପାୱାର । ଗାଁର ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ୍ ସମସ୍ୟାର କିଂଚିତ ସମାଧାନ ହେଉଛି । ହେଲେ ଗାଁ ଭିତର ଲୋକଙ୍କ ଦୁର୍ଦ୍ଦଶା ବା କିଏ ବୁଝିବ ? ଗାଁ ଭିତରେ ଥିବା ଖୁଂଟ ଏବଂ ତାରର ବୟସ ପ୍ରାୟ ୪୦ ବର୍ଷ ହେବ । ଏପରି ସ୍ଥଳେ ଖୁଂଟ ସବୁ ଖାଇଯାଇଥିବାବେଳେ ତାର ମଧ୍ୟ ତରଳିବା ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପଂଚାୟତରେ ରହିଛି ବିଦ୍ୟୁତ୍ ସବଷ୍ଟେସନ । ଏବଂ ପଂଚାୟତରୁ ମାତ୍ର ଦୁଇ କିଲୋମିଟିରେ ଦୂରରେ ରହିଛି କମର୍ଦ୍ଦା ସବଷ୍ଟେସନ୍ । ପାଖରେ ଦୁଇ ଦୁଇଟା ସବଷ୍ଟେସନ ରହି ମଧ୍ୟ ଲୋକଙ୍କୁ ମିଳୁନି ଉନ୍ନତ ବିଦ୍ୟୁତ୍ ସେବା । ଏହାଠୁ ଲଜ୍ୟାର ବିଷୟ ଆଉ କଣ ବା ହୋଇପାରେ ବୋଲି କହିଛନ୍ତି ଗ୍ରାମବାସୀ ।
ଗାଁ ବିଲ ଦେଇ ଏହି ବିଦ୍ୟୁତ୍ ତାର ଯାଇଥିବାବେଳେ ଅନେକ ସମୟରେ ତାର ତରଳି ଗାଇଗୋରୁ ଆହତ ହେବା ସହିତ ଅନେକ ମୃତାହତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଏକ ଚାଷର ସହର ହୋଇଥିଲେ ସୁଦ୍ଧା ଚାଷୀ ନିଜ ଜୀବନକୁ ଭୟ କରି ଏହାର ପାଶ୍ୱର୍ବର୍ତୀ ଅଚଂଳରେ ଚାଷ କରୁନାହାନ୍ତି । ଫଳରେ ବିଲ ପଡିଆ ପଡିବା ସହ ଚାଷୀ ପରିବାର ଭୋକଉପାସରେ ରହୁଛନ୍ତି । ଏ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗକୁ ଦୌଡୁଥିଲେ ସୁଦ୍ଧା କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି । ଏପରିକି ଗ୍ରାମବାସୀ ଏକତ୍ରିତ ହୋଇ ଜେଇଇଙ୍କୁ ସମସ୍ୟା ବାବଦରେ ଜଣାଇବା ସହ ତାଙ୍କୁ ଏହାର ସମସ୍ୟା ପାଇଁ ଅନୁରୋଧ କରୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ନେସ୍କୋ ପରେ ଟାଟାପାୱାର । ଦିଲ୍ଲୀ ପରେ ପରେ ଏବେ କର୍ଣ୍ଣାଟକରେ ମାଗଣା ବିଦ୍ୟୁତସେବା ଯୋଗାଇବା ପାଇଁ ସରକାର ଚିନ୍ତା କରୁଥିବାବେଳେ ଆମ ରାଜ୍ୟସରକାର ଆମକୁ ପଇସାଦିଆ ବିଦ୍ୟୁତସେବା ଯୋଗାଇବାରେ ଅକ୍ଷମ । ତେବେ ଦେଖିବାକୁ ବାକି ରହିଲା ଏ ଦିଗରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ